ମୋଦିଙ୍କୁ ପ୍ରଶଂସା କଲେ ଗୁଲାମ ନବୀ ଆଜାଦ : କହିଲେ, ‘ପ୍ରଧାନମନ୍ତ୍ରୀ ହେବାପରେ ବି ଭୁଲିନାହାନ୍ତି ମୂଳ ଅସ୍ଥିତ୍ବ’
28/02/2021 at 5:05 PM

ନୂଆଦିଲ୍ଲୀ ୨୮/୦୨ : କଂଗ୍ରେସର ଦଳୀୟ କନ୍ଦଳ ଏବେ ହାଟରେ ପଡି ଦାଣ୍ଡରେ ଗଡିଲାଣି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ବରେ ଜମ୍ମୁ କାଶ୍ମୀରରେ ଜି-୨୩ ନେତାମାନେ ଗତ ଶନିବାର ଦିନ ମେଳି କରିଥିଲେ । ମଞ୍ଚରେ ଥିବା ବରିଷ୍ଠନେତାମାନେ ଗେରୁଆ ପଗଡିରେ ନଜର ଆସିବା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତିଛନ୍ତି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ଗୁଲାମ ନବୀ ଆଜାଦ କହିଛନ୍ତି, ‘ମୋଦି ହେଉଛନ୍ତି ଏହି ମାଟିର ନେତା । ଲୋକମାନଙ୍କୁ ମୋଦିଙ୍କ ଠାରୁ କିଛି ଶିଖିବା ଉଚିତ ଯେ, ସଫଳତାର ଶୀର୍ଷରେ ପହଞ୍ଚିବା ପରେ ମଧ୍ୟ କିପରି ମୂଳ ଅସ୍ଥିତ୍ବକୁ ମନେ ରଖିବା ଉଚିତ।’
ପ୍ରଧାନମନ୍ତ୍ରୀ ମୋଦି ପିଲା ଦିନେ ଚା ବିକ୍ରି କରୁଥିବା କଥାକୁ ନେଇ ଗୁଲାମ ନବୀ ଆଜାଦ କହିଛନ୍ତି, ‘ଏତେ ବଡ ପଦବୀରେ ଥାଇ ମଧ୍ୟ ମୋଦି କେବେ ଚା ବିକ୍ରି କରିଥିବା କଥାକୁ ଲୁଚାଇନାହାନ୍ତି ।’ ଜମ୍ମୁ-କାଶ୍ମୀରରେ ଏକ ସଭାକୁ ସମ୍ବୋଧିତ କରି ଆଜାଦ କହିଛନ୍ତି, ଅନେକ ନେତାଙ୍କର ଅନେକ କଥା ଲୋକମାନଙ୍କୁ ଅନୁପ୍ରାଣିତ କରେ ।
ରାଜ୍ୟସଭାରୁ ବିଦାୟ ନେବାବେଳେ ଗୁଲାମ ନବୀ ଆଜାଦଙ୍କୁ ଭୂୟଂଶୀ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ ସେତିକି ନୁହେଁ ତାଙ୍କର କିଛି ଘଟଣାକୁ ମନେ ପକାଇ ଭାବପ୍ରବଣ ହୋଇଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟସଭା ମଧ୍ୟରେ ମୋଦି, ଗୁଲାବ ନବୀ ଆଜାଦ ସାଲୁଟ୍ ମଧ୍ୟ କରିଥିଲେ ।