ଭୋପାଲ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ

Published By : Prameya-News7 Bureau | March 23, 2019 IST

ଭୋପାଲ ୨୩/୩ : ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପୂର୍ବତନ ମହାସଚିବ ଏବଂ ବରିଷ୍ଠ ନେତା ଦିଗବିଜୟ ସିଂ ଭୋପାଲ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ | ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଭୋପାଲରେ ଏକ କାର୍ଯ୍ୟକ୍ରମ ବେଳେ ଏନେଇ ଘୋଷଣା କରିଥିଲେ | ସୂଚନାଯୋଗ୍ୟ ଯେ, ଦିଗବିଜୟ ସିଂ ନିର୍ବାଚନ ଲଢ଼ିବା ନେଇ ରାଜ୍ୟ ରାଜନୀତି ବହୁତ ଗରମ ଥିଲା | କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ କମଲନାଥ ଏବଂ ରାଜାଙ୍କ ମଧ୍ୟରେ ଆସନ ଏବଂ ନିର୍ବାଚନକୁ ନେଇ ଚର୍ଚ୍ଚା ହୋଇଥିଲା ଯେ, ଦିଗବିଜୟ ସିଂ ଇନ୍ଦୋର ଆସନରୁ ଲଢ଼ିବେ |


ଦିଗବିଜୟ ସିଂ କୌଣସି ମୁଖ୍ୟ ଆସନରୁ ନିର୍ବାଚନ ଲଢ଼ିବା ନେଇ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ଅପିଲ କରିଥିଲେ | କମଲନାଥଙ୍କ ଅପିଲକୁ ନେଇ ଦିଗବିଜୟ ସିଂ କହିଥିଲେ ଯେ, ରାହୁଲ ଗାନ୍ଧୀ ଯେଉଁଠାରୁ କହିବେ ସେ ସେହି ଆସନରୁ ନିର୍ବାଚନ ଲଢ଼ିବେ | କଂଗ୍ରେସ ସ୍କ୍ରିନିଙ୍ଗ କମିଟି ବୈଠକ ମଧ୍ୟ ପ୍ରଦେଶର ସମସ୍ତ ୨୯ଟି ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରାଯାଇଥିଲା | ଖୁବ ଶୀଘ୍ର ଏହିସବୁ ନାଁ ଘୋଷଣା କରାଯିବ |


ଭୋପାଳ ଲୋକସଭା କ୍ଷେତ୍ରକୁ ବିଜେପିର ଗଡ ବୋଲି କୁହାଯାଏ | ୧୯୮୪ ମସିହା ପରଠାରୁ କଂଗ୍ରେସ ଭୋପାଲରେ ନିଜର ସ୍ଥିତି ହରାଇ ସାରିଛି | କଂଗ୍ରେସର ବରିଷ୍ଠ ନେତା ସୁରେଶ ପଚୋରି, କେଏନ ପ୍ରଧାନ ଏବଂ ନବାବ ମନସୁର ଅଲ୍ଲୀ ଖାନ ମଧ୍ୟ ଏହି ଆସନରୁ ହାରି ଯାଇଥିଲେ | ଭୋପାଲ ଆସନରୁ ଏବେ ବିଜେପି ନେତା ଆଲୋକ ସଞ୍ଚର ସାଂସଦ ଅଛନ୍ତି | ସଞ୍ଚର ସାଂସଦ ହେବା ପୂର୍ବରୁ ଭୋପାଲ ନଗର ନିଗମ କାଉନସିଲର ଥିଲେ |


ଦିଗବିଜୟ ସିଂ ୨ ଥର ରାଜଗଡ଼ ଲୋକସଭା ଆସନରୁ ଜିତି ସାଂସଦ ହୋଇଥିଲେ | ୧୯୮୪ ମସିହାରେ ସେ ପ୍ରଥମଥର ପାଇଁ ସାଂସଦ ହୋଇଥିଲେ | କିନ୍ତୁ ୧୯୮୯ ମସିହାରେ ବିଜେପିର ବରିଷ୍ଠ ନେତା ଏବଂ ସଂଘ ପ୍ରଚାରକ ପ୍ୟାରେଲାଲ ଖଣ୍ଡେଲବାଲଙ୍କ ଠାରୁ ପରାସ୍ତ ହୋଇଥିଲେ | ୧୯୯୧ ମସିହାରେ ପୁଣିଥରେ କମ ସଂଖ୍ୟକ ଭୋଟରେ ନିର୍ବାଚନ ଜିତିଥିଲେ | ୧୯୯୩ ମସିହା ଠାରୁ ୨୦୦୩ ପର୍ଯ୍ୟନ୍ତ ସେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ | ରାଧୋଗଡ ବିଧାନସଭା ମଣ୍ଡଳୀରୁ ସେ ବିଧାୟକ ଥିଲେ | ଏବେ ତାଙ୍କ ପୁତ୍ର ଜୟବର୍ଦ୍ଧନ ସିଂ ଏହି ଆସନରୁ ବିଧାୟକ ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.