ପୁଲୱାମା ଆତଙ୍କୀ ହମଲାକୁ 'ଦୁର୍ଘଟଣା' କହିଲେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ : ମୋଦିଙ୍କୁ ପଚାରିଲେ ଅନେକ ପ୍ରଶ୍ନ

Published By : Prameya-News7 Bureau | March 05, 2019 IST

ଦିଲ୍ଲୀ ୫/୩ : ଦେଶରେ ଲୋକସଭା ନିର୍ବାଚନକୁ ନେଇ ସରଗରମ ହେଇଚି ରାଜନୀତି | ଏଭଳି ସ୍ଥିତି ବିରୋଧୀ ପୁଲବାମା ହମଲା ଏବଂ ଵାଲାକୋଟ ଏୟାର ଷ୍ଟ୍ରାଇକକୁ ନେଇ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି | ଏଭଳି ସ୍ଥିତିରେ ପୁଲୱାମା ଆତଙ୍କୀ ହମଲାକୁ 'ଦୁର୍ଘଟଣା'ର ନାଁ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ | ପାକିସ୍ତାନ ଵାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ଦିଗବିଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି | ସେ କହିଛନ୍ତି ଯେ, ପ୍ରଶ୍ନ କେଉଁ ଦଳର କିମ୍ବା ଶାସନର ନୁହଁ | ପ୍ରଶ୍ନ ସେହି ମା' ଏବଂ ଭଉଣୀଙ୍କର ଯେଉଁମାନେ ହମଲାରେ ନିଜ ପୁଅ ଏବଂ ଭାଇଙ୍କୁ ହରାଇଛନ୍ତି |

ମୋଦିଙ୍କୁ ଏହିସବୁ ପ୍ରଶ୍ନର ଉତ୍ତର ଦେବା ଉଚିତ ବୋଲି କହିଥିଲେ ଦିଗବିଜୟ | ବିଜେପି ଭାରତୀୟ ବାୟୁସେନାର ସଫଳତାକୁ ନିଜ ସଫଳତା କହି ନିର୍ବାଚନୀ ପ୍ରସଙ୍ଗ କରିଛି |


ଦିଗବିଜୟ ସିଂ ମଙ୍ଗଳବାର ଦିନ ସୋସିଆଲ ମିଡ଼ିଆରେ ଏନେଇ ଗୋଟିଏ ପରେ ଗୋଟିଏ ଟ୍ୱିଟ କରିଚାଲିଥିଲେ | ସେ କହିଛନ୍ତି ଯେ, "ଆମକୁ ଆମ ସେନାର ବାହାଦୁରି ଉପରେ ସମ୍ପୂର୍ଣ ବିଶ୍ୱାସ ଅଛି ଏବଂ ଆମେ ତାଙ୍କ ପାଇଁ ଗର୍ବିତ | ମୁଁ ମୋର ଅନେକ ପରିଚିତ ବନ୍ଧୁ ତଥା ନିକଟତର ସମ୍ପର୍କୀୟଙ୍କୁ ଦେଖିଛି, ସେମାନେ କିଭଳି ନିଜ ପରିବାର ଛାଡି ଦେଶର ସୁରକ୍ଷା କରନ୍ତି | ଆମେ ତାଙ୍କର ସମ୍ମାନ କରୁଛୁ | କିନ୍ତୁ ପୁଲୱାମା ଦୁର୍ଘଟଣା ପରେ ବାୟୁସେନା ଦ୍ଵାରା କରାଯାଇଥିବା ଏୟାର ଷ୍ଟ୍ରାଇକ ପରେ କିଛି ବିଦେଶୀ ମିଡ଼ିଆରେ ସନ୍ଦେହ ସୃଷ୍ଟି କରାଯାଉଛି | ଯାହାଫଳରେ ଭାରତ ସରକାରଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠୁଛି |"


ଏତିକି ରେ ଶାନ୍ତି ହୋଇନଥିଲେ ଦିଗବିଜୟ | ସେ ଆହୁରି ପ୍ରଶ୍ନବାଣ ଛାଡିଛନ୍ତି ମୋଦିଙ୍କ ଉପରକୁ | ସେ କହିଛନ୍ତି ଯେ, ମୋଦି ସରକାରଙ୍କ କିଛି ମନ୍ତ୍ରୀ କହୁଛନ୍ତି ଏୟାର ଷ୍ଟ୍ରାଇକରେ ୩୦୦ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି | ବିଜେପି ଅଧ୍ୟକ୍ଷ କହୁଛନ୍ତି ୨୫୦ ପ୍ରାଣ ହରାଇଛନ୍ତି | ଏପଟେ ଯୋଗୀ ଆଦିତ୍ୟନାଥ କହୁଛନ୍ତି ୪୦୦ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି | ଅପରପକ୍ଷରେ ବିଜେପି ମନ୍ତ୍ରୀ ଏସ.ଏସ ଆଲୁବାଳିଆ କହୁଛନ୍ତି ଜଣେ ବି ମରିନାହିଁ | କିନ୍ତୁ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ କିଛି ନକହି ମୌନ ରହୁଛନ୍ତି | ଦେଶବାସୀ ଜାଣିବାକୁ ଚାହୁଁଛନ୍ତି କିଏ ମିଛୁଆ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.