ଶକ୍ତି ସଞ୍ଚୟ କରୁଛି ବିଜେଡି, ଶଙ୍ଖ ଫୁଙ୍କିବେ ଧର୍ମରାଜ୍‌ଙ୍କ ସହ ଶହ ଶହ କଂଗ୍ରେସ କର୍ମୀ

Published By : Prameya-News7 Bureau | November 30, 2021 IST

ବ୍ରହ୍ମପୁର, ୩୦/୧୧: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲାରେ ଛନ୍ଦି ହେବା ପରେ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିରୋଧୀ ଭିଡୁଥିଲେ ଅଣ୍ଟା । ଗୋଳିଆ ପାଣିରୁ ଫାଇଦା ନେବା ପାଇଁ କରୁଥିଲେ ପ୍ରୟାସ। ଏଭଳି ପରିସ୍ଥିତିରେ ବିଜେଡି ଶକ୍ତି ସଂଚୟ ସହ ଦଳୀୟ ସ୍ଥିତିକୁ ମଜବୁତ୍ କରିବାକୁ ପ୍ରୟାସ କରିଛି । ଗୋପାଳପୁର କଂଗ୍ରେସକୁ ବଡ ଝଟକା ଲାଗିଛି। ଗୋପାଳପୁର କଂଗ୍ରେସର ଶହ ଶହ କର୍ମୀ ଦଳ ଛାଡିବେ। ବରିଷ୍ଠ କଂଗ୍ରେସ ନେତା ଏସ୍ ଧର୍ମରାଜ ରେଡ୍ଡୀଙ୍କ ସମେତ ୫ ସରପଞ୍ଚ, ୩ ସମିତି ସଭ୍ୟ ଓ ହଜାର ହଜାର କର୍ମୀ ଦଳ ଛାଡି ଆସନ୍ତା ୪ ତାରିଖରେ ବିଜେଡିରେ ଯୋଗ ଦେବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଆସନ୍ତା ୪ ତାରିଖରେ ରଙ୍ଗେଇଲୁଣ୍ଡା ସ୍ଥିତ ଏକ ଦଳୀୟ ସମାବେଶରେ ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ବହୁ ବରିଷ୍ଠ ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଶହ ଶହ କଂଗ୍ରେସ କର୍ମୀ, ସମର୍ଥକ ବିଜେଡିରେ ଯୋଗ ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦର୍ଶ, ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତିରେ ଆକର୍ଷିତ ହୋଇ ବିଜେଡିରେ ଯୋଗ ଦେବୁ ବୋଲି କହିଛନ୍ତି ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଏସ୍ ଧର୍ମରାଜ ରେଡ୍ଡୀ । କଂଗ୍ରେସରେ ରହି ଲୋକଙ୍କ କୌଣସି ବିକାଶ ମୂଳକ କାର୍ଯ୍ୟ କରିବାରେ ଅସମର୍ଥ ହୋଇଛୁ। ଏ ନେଇ ଗତ ୧୧ ତାରିଖରେ ପିସିସି ସଭାପତିଙ୍କୁ  କଂଗ୍ରେସରୁ ଇସ୍ତଫା ପତ୍ର ପ୍ରଦାନ କରିଥିବା ଏସ୍ ଧର୍ମରାଜ ରେଡ୍ବୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.