ଅସୁସ୍ଥ ଥିବାବେଳେ ଅମିତ ଶାହାଙ୍କ ପ୍ରତି କଂଗ୍ରେସ ନେତା ହରି ପ୍ରସାଦଙ୍କ ଅଶୋଭନୀୟ ମନ୍ତବ୍ୟ: କହିଲେ ‘ଘୁଷୁରୀ ଜ୍ବର ହୋଇଛି…ଆଗକୁ ବାନ୍ତି ଏବଂ ଲୁଜ୍ ମୋସନ୍ ମଧ୍ୟ ହେବ’

Published By : Prameya-News7 Bureau | January 17, 2019 IST

ନୂଆଦିଲ୍ଲୀ ୧୭/୧: କଂଗ୍ରେସ୍ ନେତା ଏବଂ ରାଜ୍ୟସଭା ସାଂସଦ ବିକେ ହରିପ୍ରସାଦ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହଙ୍କ ଅସୁସ୍ଥତାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ହରିପ୍ରସାଦ କହିଛନ୍ତି କର୍ଣ୍ଣାଟକରେ ଆମ ଦଳର ବିଧାୟକ ଆମ ପାଖକୁ ଫେରି ଆସିଛନ୍ତି। କର୍ଣ୍ଣାଟକ ସରକାରଙ୍କ ପତନ ପାଇଁ ଷଡଯନ୍ତ୍ର କରୁଥିବା ଅମିତ ଶାହ ଡରି ଯାଇ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ କୈାଣସି ସାଧାରଣ ଜ୍ବର ହୋଇନାହିଁ। ତାଙ୍କୁ ଘୁଷୁରୀ ଜନିତ ଜ୍ବର ବା ସ୍ବାଇନ୍ ଫ୍ଲ୍ୟୁ ହୋଇଛି। ଯଦି ସେ କର୍ଣ୍ଣାଟକ ସରକାରଙ୍କ ପତନ ପାଇଁ ପୁଣି ଉଦ୍ୟମ କରିବେ ତେବେ ତାଙ୍କୁ କେବଳ ସ୍ବାଇନ୍ ଫ୍ଲ୍ୟୁ ନୁହେଁ ବାନ୍ତି ଏବଂ ଲୁଜ୍ ମୋସନ୍ ମଧ୍ୟ ହେବ ବୋଲି ସେ ନିଶ୍ଟିତ ହୋଇଯାଆନ୍ତୁ।

ବିକେ ହରିପ୍ରସାଦଙ୍କ ଏଭଳି ମନ୍ତବ୍ୟର ପାଲଟା ଜବାବ ଦେବାକୁ ଡେରି କରିନି ବିଜେପି। କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟେଲ୍ ତାଙ୍କୁ ଆକ୍ରମଣାତ୍ମକ ଢଙ୍ଗରେ କହିଛନ୍ତି ଯେ  ସେ ଅମିତ ଶାହଙ୍କ ସ୍ବାସ୍ଥ୍ୟକୁ ନେଇ ହରି ପ୍ରସାଦ ଯେଉଁଭଳି ଖରାପ ଏବଂ ଅସଭ୍ୟ ବୟାନ୍ ଦେଇଛନ୍ତି ତାହା କଂଗ୍ରେସର ସ୍ତରକୁ ଦର୍ଶାଉଅଛି। ଅମିତ ଶାହା ଏମସ୍ ହସ୍ପିଟାଲରେ ସ୍ବାଇନ୍ ଫ୍ଲ୍ୟୁର ଚିକିତ୍ସା କରାଉଛନ୍ତି, କିନ୍ତୁ କଂଗ୍ରେସ୍ ନେତାଙ୍କ ମାନସିକ ରୋଗର ଉପଚାର ଅସମ୍ଭବ। ରାଜ୍ୟବର୍ଦ୍ଧନ ସିଂହ ରାଠୋର ମଧ୍ୟ କହିଛନ୍ତି ଯେ ଏହି ପରି ବୟାନ୍ କଂଗ୍ରେସ୍ ନେତୃତ୍ବର ହତାଶାକୁ ପଦାରେ ପକାଉଛି।

ହରିପ୍ରସାଦଙ୍କ ବିବାଦୀୟ ବୟାନ୍ ପରେ କଂଗ୍ରେସ୍ ତରଫରୁ ପ୍ରିୟଙ୍କା ଚତୁର୍ବେଦୀ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ।

କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି। କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ୍ କରି ଜେଟଲୀ ଶୀଘ୍ର ସୁସ୍ଥ ହୋଇଯାନ୍ତୁ ବୋଲି କାମନା କରିଛନ୍ତି।

ଅମିତ ଶାହଙ୍କ ସ୍ବାଇନ୍ ଫ୍ଲ୍ୟୁ ଚିକିତ୍ସା ଦିଲ୍ଲୀର ଏମସ୍ ହସ୍ପିଟାଲରେ ଚାଲିଛି। ଅମିତ ଶାହଙ୍କୁ ଆହୁରି ୨/୩ଦିନ ଯାଏଁ ହସ୍ପିଟାଲରେ ରଖାଯିବ। ସେ ନିଜେ ଟ୍ବିଟ୍ କରି ନିଜ ଅସୁସ୍ଥତାର ସୂଚନା ଦେଇଥିଲେ।

ହରିପ୍ରସାଦ ରାଜ୍ୟସଭାର ଉପସଭାପତି ନିର୍ବାଚନରେ ଏନଡିଏ ଆଶାୟୀ ପ୍ରାର୍ଥୀ ହରିବଂଶଙ୍କ ବିପକ୍ଷରେ କଂଗ୍ରେସର ଆଶାୟୀ ପ୍ରାର୍ଥୀ ଥିଲେ। କିନ୍ତୁ ଏହି ନିର୍ବାଚନରେ ହରିବଂଶ ଜିତିଥିଲେ ଏବଂ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେଥିପାଇଁ ସେ ହତାଶ ହୋଇ ଏଭଳି ବକ୍ତବ୍ୟ ଦେଇଥିବା ବିଜେପି ନେତାମାନେ ଆକ୍ଷେପ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.