Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋଦି ସରକାର ୩ ମାସରେ ୨୨ ଥର ବଢାଇଛନ୍ତି ତୈଳ ମୂଲ୍ୟ : ସୋନିଆ

29/06/2020 at 3:13 PM

ନୂଆଦିଲ୍ଲୀ ୨୯।୬:  ତୈଳ ମୂଲ୍ୟ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ସୋମବାର ସାରା ଦେଶରେ ‘ସ୍ପିକ୍‌ଅପ ଏଗେଁଷ୍ଟ ଫ୍ୟୁଲ ହାଇକ୍‌ ’ କ୍ୟାମ୍ପେନ ଆରମ୍ଭ କରିଛି। ଉଭୟ ସଡକ ଓ ଇଣ୍ଟରନେଟ୍‌ରେ ଆରମ୍ଭ କରିଥିବା ଏହି ବିରୋଧରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ମୋଦି ସରକାର ଗତ ୩ ମାସରେ ୨୨ ଥର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି କରିଥିବାର କହିଛନ୍ତି। ଏଣୁ ସରକାରଙ୍କ ଏପରି ଜନ ବିରୋଧୀ ଶୁଳ୍କ କାର୍ଯ୍ୟକ୍ରମକୁ ଖୋଲାଖୋଲି ବିରୋଧ କରିବା ଲାଗି ସୋନିଆ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

କରୋନା ସଂକଟ ଯୋଗୁ ସାରା ଦେଶକୁ ସରକାର ଲକଡାଉନ୍‌ କରିଛନ୍ତି। ଏଣୁ ପେଟ୍ରୋଲ ଓ ଡିଜେଲର ଚାହିଦା ହ୍ରାସ ବେଳେ ସରକାର ଇନ୍ଧନ ମୂଲ୍ୟ ବୃଦ୍ଧି କରିବା ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟବୃଦ୍ଧି କାରଣ ପାଲଟିଥିବା ସୋନିଆ କହିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଲଗତାର ତୈଳମୂଲ୍ୟ ହ୍ରାସ ହେଉଥିବା ବେଳେ ଏହାର ଲାଭ ଦେଶର ଜନସାଧାରଣଙ୍କୁ ମିଳିବା କଥା। ହେଲେ ସରକାରଙ୍କ ଶୋଷଣ ନୀତି ଦେଶରେ ଲାଗାତାର ଇନ୍ଧନ ମୂଲ୍ୟ ବୃଦ୍ଧି ହେଉଥିବା ବେଳେ ଆନୁଷଙ୍ଗିକ ସାମଗ୍ରୀ ମୂଲ୍ୟ ବୃଦ୍ଧି ସହ ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିଛି।

୨୦୧୪ ମସିହା ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ହୋଇଚାଲିଛି। ତେବେ ବ୍ୟାବସାୟୀକ ଉଦ୍ଦେଶ୍ୟ ରଖି ମୋଦି ସରକାର ତୈଳ ଉପରେ ଆହୁରି ୨୨ ଟଙ୍କା ଏକ୍ସାଇଜ୍ ଶୁଳ୍କ ଲାଗୁ କରିଛନ୍ତି। ଯେଉଁଥିଲାଗି ମଧ୍ୟମ ବର୍ଗୀୟ ପରିବାରଙ୍କୁ ଅଧିକ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି।

୭ ଜୁନ ପୂର୍ବରୁ ତୈଳ କମ୍ପାନୀମାନେ ତୈଳ ମୂଲ୍ୟ ସଂଶୋଧନ କରିନଥିଲେ। ହେଲେ ୭ ଜୁନ ପରଠାରୁ ଲଗାତାର ମୂଲ୍ୟବୃଦ୍ଧି କରିଚାଲିଛନ୍ତି। ୨୮ ଜୁନ ଗୋଟିଏ ଦିନ ତୈଳ କମ୍ପାନୀ ଦର ସଂଶୋଧନ କରିନଥିଲେ। ତେବେ ସୋମବାର ପୂଣି ପେଟ୍ରୋଲ ମୂଲ୍ୟରେ ୫ ଓ ଡିଜେଲ ମୂଲ୍ୟରେ ୧୩ ପଇସା ବୃଦ୍ଧି କରିଛନ୍ତି। ଏଣୁ କଂଗ୍ରେସ ସ୍ପିକଅପ୍ ଏଗେଁଷ୍ଟ ଫ୍ୟୁଲ ପ୍ରାଇସ୍ ହାଇକ୍‌ କ୍ୟାମ୍ପେନ ହାତକୁ ନେଇଥିବା ସୋନିଆ କହିଛନ୍ତି। କେବଳ ସୋନିଆ ନୁହଁନ୍ତି  ରାହୁଲ ମଧ୍ୟ ଲୋକଙ୍କୁ ଅଭିଯାନରେ ସାମିଲ ହେବା ସହ ଖୋଲାଖୋଲି ସରକାରଙ୍କୁ ବିରୋଧ କରିବାକୁ କହିଛନ୍ତି।

   Related Posts