ଦରଦାମ୍‌ ବୃଦ୍ଧି ବିରୋଧରେ ଜନସମର୍ଥନ ଯୋଗାଡ଼ କରିବ କଂଗ୍ରେସ, ଜାରି କଲା ହେଲ୍ପଲାଇନ୍‌ ନମ୍ବର

Published By : Prameya-News7 Bureau | November 13, 2021 IST

ନୁଆଦିଲ୍ଲୀ ୧୩/୧୧ : ଦେଶ​‌ରେ ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ବିରୋଧୀ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରୁଛି। ଏହାକୁ ଏବେ ଏକ ପ୍ରସଙ୍ଗ କରି ଜନତାଙ୍କ ସମର୍ଥନ ହାସଲ କରିବାକୁ ଦଳ ପ୍ରୟାସ ଆରମ୍ଭ କରିଛି। ଦଳର ନେତା ମନ୍ତ୍ରୀ ସରକାରଙ୍କୁ ଟାର୍ଗେଟ କରି କରି ଥକିଗଲା ପରେ ଏବେ ଲୋକମାନଙ୍କ ସମର୍ଥନରେ ପୁଣି ଥରେ ବଳ ସଂଗ୍ରହ କରିବାକୁ ନୂଆ ତରିକା ଆପଣାଇଛି କଂଗ୍ରେସ। ଦରଦାମ ବୃଦ୍ଧି ବିରୋଧରେ ଜନସମର୍ଥନ ଯୋଗାଡ କରିବାକୁ ଦଳ ହେଲ୍ପଲାଇନ୍‌ ନମ୍ବର ଜାରି କରିଛି।

ଜନ ଜାଗରଣ ଅଭିଯାନ ମାଧ୍ୟମରେ ଦରଦାମ ବଢ଼ିବା ପ୍ରତିବାଦରେ ସରକାରଙ୍କ ବିରୋଧରେ କଂଗ୍ରେସ ଲୋକମାନଙ୍କ ସହ ଡିଜିଟାଲ ମାଧ୍ୟମରେ ଯୋଡ଼ିହେବ ବୋଲି ଜଣାପଡ଼ିଛି । ରବିବାର ଠାରୁ ଏହା ଆରମ୍ଭ ହେବ । କଂଗ୍ରେସ ଏଥିପାଇଁ ଟୋଲ ଫ୍ରି ହେଲ୍ପଲାଇନ ନମ୍ବର ଜାରି କରିଛି । ଯେକୌଣସି ବ୍ୟକ୍ତି ଏହି ନମ୍ବରରେ କଲ କରି ଦରଦାମ ବୃଦ୍ଧି ବିରୋଧରେ ସମର୍ଥନ ଜାହିର କରିପାରିବେ । ଏହା ସହ ସାଧରଣ ଜନତା ଟୋଲ୍‌ ଫ୍ରି ନମ୍ବର ୧୮୦୦୨୧୨୦୦୦୦୧୧ରେ ମିସଡ କଲ୍‌ ମଧ୍ୟ କରିପାରିବେ ବୋଲି କଂଗ୍ରେସର ମିଡିଆ ସେଲ୍‌ ମୁଖ୍ୟ ରୋହନ ଗୁପ୍ତା କହିଛନ୍ତି।

ଲୋକେ ଏହି ନମ୍ବରରେ ମିସଡ୍‌ କଲ କଲା ପରେ ସେମାନଙ୍କ ପାଖକୁ ଏକ ମେସେଜ ଆସିବ । ଏହା ସହ ଏକ ଡ଼ିଜିଟାଲ ଫର୍ମ ମଧ୍ୟ ଆସିବ । ଫର୍ମ ପୂରଣ କରି ଲୋକମାନେ ଜନ ଜାଗରଣ ଅଭିଯାନରେ ଅଂଶଗ୍ରହଣ କରିପାରିବେ ଏବଂ ଦରଦାମ ବୃଦ୍ଧି ବିରୋଧରେ ନିଜର ପ୍ରତିବାଦକୁ ଦୃଢ଼ କରିପାରିବେ ।

ଜନ ଜାଗରଣ ଅଭିଯାନ ମାଧ୍ୟମରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାମାନେ ଦେଶର ବିଭିନ୍ନ ସ୍ଥାନରେ ପଦଯାତ୍ରା କରିବେ । ଏହା ଦ୍ବାରା ଅନେକ ସଂଖ୍ୟକ ଲୋକ ବିଶେଷ କରି ମହିଳାମାନେ ଦରଦାମ ବୃଦ୍ଧି ପ୍ରତିବାଦରେ ନିଜର ସମର୍ଥନ ଦେବେ ବୋଲି କଂଗ୍ରେସ ଆଶ ପ୍ରକଟ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.