ଭାରତ ବନ୍ଦକୁ କଂଗ୍ରେସ ସମେତ ୧୧ଟି ଦଳର ସମ୍ପୂର୍ଣ୍ଣ ସମର୍ଥନ: ଆମ୍ବୁଲାନ୍ସ ଏବଂ ବିବାହ କାର୍ଯ୍ୟକୁ ନାହିଁ ରୋକ୍, ପରିଚୟ ପତ୍ର ଦେଖାଇ ଯାଇପାରିବେ କାର୍ଯ୍ୟକ୍ଷେତ୍ର

Published By : Prameya-News7 Bureau | December 07, 2020 IST

ନୂଆଦିଲ୍ଲୀ ୦୭।୧୨: ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି ୪୦ଟି କୃଷକ ସଂଗଠନ। ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯିବ। ସାଧାରଣ ଲୋକ ଯେମିତି ପ୍ରଭାବିତ ନହେବେ ସେ ଦିଗ ପ୍ରତି ଦୃଷ୍ଟି ଦିଆଯିବ ବୋଲି ଭାରତୀୟ କିଷାନ ୟୁନିଅନ କହିଛି। ଭାରତ ବନ୍ଦ ଡାକରାକୁ ଅନେକ ଟ୍ରେଡ୍ ୟୁନିଅନ୍ ଏବଂ ବିରୋଧୀ ଦଳ ସମର୍ଥନ କରୁଥିବାରୁ ଏହାର ପ୍ରଭାବ ପଡିବ ବୋଲି ଚର୍ଚ୍ଚା ହେଉଛି।

ଶାନ୍ତିପୂର୍ଣ୍ଣ ଭାରତ ବନ୍ଦ ଡାକରା। କୃଷକଙ୍କ ଭାରତ ବନ୍ଦକୁ ବଳ ଦେଇଛନ୍ତି ବିରୋଧୀ ଦଳ। କାଲି ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ଦିଆଯାଇଛି ବନ୍ଦ ଡାକରା। ଜାତୀୟ ରାଜପଥ ଏବଂ ଟୋଲ୍ ପ୍ଲାଜାରେ ଧର୍ମଘଟ କରିବାକୁ ମେଳି। ହେଲେ ବନ୍ଦ କରିବେନି ଜରୁରୀ ଓ ସରକାରୀ ସେବା। ଯେମିତି ସମସ୍ତେ ଅଫିସ ଯାଇପାରିବେ ସେଥିପାଇଁ ଦିନ ୧୧ଟାରୁ ଭାରତ ବନ୍ଦ କରିବାକୁ ଡାକରା ଦିଆଯାଇଛି। ଆମ୍ବୁଲାନ୍ସ ଏବଂ ବିବାହ କାର୍ଯ୍ୟରେ କୌଣସି ବାଧା ଉପୁଜିବ ନାହିଁ। ଲୋକେ ସେମାନଙ୍କର ପରିଚୟ ପତ୍ର ଦେଖାଇ ଯାଇପାରିବେ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିଅନର ମୁଖପାତ୍ର। ପଞ୍ଜାବ ସରକାର ବନ୍ଦକୁ ସଂପୂର୍ଣ୍ଣ ସମର୍ଥନ କରୁଥିବା ସେଠାରେ ପ୍ରଭାବ ସବୁଠୁ ବେଶୀ ପଡିବ। କର୍ଣ୍ଣାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ତ୍ରିପୂରା ଏବଂ ଆସାମ ଭଳି ରାଜ୍ୟରେ ମଧ୍ୟ ବନ୍ଦର ପ୍ରଭାବ ରହିବ। ୯ତାରିଖରେ କୃଷକ ସଂଗଠନ ସହ କେନ୍ଦ୍ର ସରକାର ଆଲୋଚନା କରିବାକୁ ଥିବା ବେଳେ, ଦିନକ ଆଗରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଭାରତ ବନ୍ଦକୁ କଂଗ୍ରେସ ସମେତ ୧୧ଟି ଦଳ ସଂପୂର୍ଣ ସମର୍ଥନ କରୁଥିବା ଘୋଷଣା କରିଛନ୍ତି। ଏପଟେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କଂଗ୍ରେସ ସହ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ମନମୋହନ ସିଂ ସରକାର କୃଷି ଆଇନରେ ଏସବି ସଂଶୋଧନ ଆଣିବାକୁ ଚାହୁଁଥିଲେ। ଏନେଇ ତତକାଳୀନ କୃଷିମନ୍ତ୍ରୀ ଶରଦ ପାୱାରଙ୍କ ଚିଠିକୁ ଦେଖାଇଛନ୍ତି ରବିଶଙ୍କର ପ୍ରସାଦ।

{"id":374097,"sizeSlug":"large"}

କୃଷକ ସଂଗଠନକୁ ସମର୍ଥନ କରିଛନ୍ତି ଆହୁରି ଅନେକ ସଂଗଠନ ଏବଂ ବ୍ୟକ୍ତି। ୩୦ରୁ ଅଧିକ ଖେଳାଳି ଆୱାର୍ଡ ୱାପସୀ ପାଇଁ ରାଷ୍ଟ୍ରପତି ଭବନ ଯିବା ବେଳେ ସେମାନଙ୍କୁ ପୋଲିସ ଅଟକାଇଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନରେ ସାମିଲ ହେବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଅଟକ ରଖିଛି ପୁଲିସ। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଂଘୁ ସୀମାକୁ ଯାଇ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଭେଟିବା ସହ ବ୍ୟବସ୍ଥା ତଦାରଖ କରିଛନ୍ତି। ଭାରତ ବନ୍ଦ ଡାକରାକୁ ଆମ ଆଦମୀ ପାର୍ଟି ସମର୍ଥନ କରୁଛି।

ଭାରତ ବନ୍ଦ ଡାକରାକୁ ଓଡିଶାରେ ସଫଳ କରିବା ଲାଗି କଂଗ୍ରେସ ସହ ୮ଟି ଦଳ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ପ୍ରତି ଜିଲ୍ଲାରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ବିଜେଡି କହିଛି ଆମେ ନୈତିକତା ଦୃଷ୍ଟିରୁ ସମର୍ଥନ କରୁଥିଲେ ମଧ୍ୟ ଦଳ ରାସ୍ତାକୁ ଓହ୍ଲାଇବନାହିଁ। ବିଜେପି କହିଛି ଏସବୁ ନାଟକବାଜି।

କୃଷକ ସଂଗଠନର ଭାରତ ବନ୍ଦକୁ ଗୁଜରାଟ ସମର୍ଥନ କରୁନାହିଁ। ଆନ୍ଦୋଳନକାରୀଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ କହିଛନ୍ତି। ଭାରତ ବନ୍ଦ ସମୟରେ ଶାନ୍ତି ଶୃଂଖଳା ବଜାୟ ରଖିବା ଲାଗି ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.