ଜି.ଉଦୟଗିରି ବିଧାନସଭା : କଂଗ୍ରେସ ଗଡ଼ରେ ଦଳୀୟ ପ୍ରାର୍ଥୀ ସଂକଟଜନକ ସ୍ଥିତିରେ, ବିଜେଡି-ବିଜେପି ଭିତରେ ହେବ ଫାଇଟ୍ !
2/04/2019 at 2:18 PM

ଜି.ଉଦୟଗିରି ୨|୪ (ସୁନିଲ ପଟ୍ଟନାୟକ/ ପ୍ରମୋଦ ଦଣ୍ଡସେନା): ପ୍ରାର୍ଥୀପତ୍ର ଦାଖଲ ସରିଛି । ପ୍ରାର୍ଥୀମାନେ ଜୋରସୋର ପ୍ରଚାର ଚଳାଇଛନ୍ତି । ତେବେ ଜି.ଉଦୟଗିରି ନିର୍ବାଚନମଣ୍ଡଳୀ କଥା ଯଦି ଦେଖିବା, ଏଠି ବିଜେଡି ଏବଂ ବିଜେପି ପ୍ରାର୍ଥୀ ସୁବିଧାଜନକ ସ୍ଥିତିରେ ଅଛନ୍ତି । ତେବେ କଂଗ୍ରେସ ପାଇଁ କଣ୍ଟା ସାଜିଛନ୍ତି ବିଦ୍ରୋହୀ । ମାନେ ଦୁଇ ଜଣ ବିଦ୍ରୋହୀ ପ୍ରାର୍ଥୀ ସ୍ବାଧୀନ ଭାବେ ଲଢ଼ୁଥିବାରୁ କଂଗ୍ରେସ କ୍ୟାଣ୍ଡିଡେଟ୍ଙ୍କ ନିଦ ହଜିଗଲାଣି ।

ଜି.ଉଦୟଗିରି, ଟିକାବାଲି, ରାଇକିଆ, ଦାରିଙ୍ଗବାଡ଼ି ବ୍ଲକକୁ ନେଇ ଜି. ଉଦୟଗିରି ନିର୍ବାଚନମଣ୍ଡଳୀ ଗଠିତ । ଏଠି ସଂଖ୍ୟା ଲଘୁ ଭୋଟରଙ୍କ ସଂଖ୍ୟା ଅଧିକ । ପ୍ରାର୍ଥୀଙ୍କ ହାର୍ ଜିତ୍ରେ ଏମାନେ ନିର୍ଣ୍ଣାୟକ ଭୂମିକା ନିଅନ୍ତି । ବିଜେଡି ଏଥର ପୂର୍ବତନ ବିଧାୟକ ତଥା ସଂଖ୍ୟା ଲଘୁ ନେତା ସାଲୁଗା ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ।

ଆଉ ବିଜେପି ଏଠାରେ ମହିଳା କାର୍ଡ ଖେଳିଛି । ମାନେ ଅର୍ଚ୍ଚନା ପ୍ରଧାନଙ୍କୁ ମଇଦାନକୁ ଆଣି ମହିଳା ଭୋଟ ହାତେଇବାକୁ ଉଦ୍ୟମ କରିଛି । ଉଭୟ ଦଳ ଜୋରସୋର ପ୍ରଚାରରେ ମାତିଛନ୍ତି ।

ଜି.ଉଦୟଗିରିକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ । ତେବେ ଦଳର ଏଇ ଗଡ଼ରେ ଦଳୀୟ ପ୍ରାର୍ଥୀ ସଂକଟଜନକ ସ୍ଥିତିରେ । ଟିକେଟ୍ ରୁ ବଞ୍ଚିତ ହୋଇ ବିଧାୟକ ଜାକବ ପ୍ରଧାନ ଏବେ ସ୍ବାଧୀନ ଭାବେ ଲଢ଼ୁଛନ୍ତି । ସେପଟେ ଆଉ ଜଣେ ଯୁବ ନେତା ପ୍ରତାପ ପ୍ରଧାନ ବି କଂଗ୍ରେସରୁ ଇସ୍ତଫା ଦେଇ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି । ଉଭୟ ନିଜ ନିଜର ଜିତିବା ନେଇ ବେଶ୍ ଆଶାବାଦୀ । ଆଉ ଜାକବ ଏବଂ ପ୍ରତାପ କଂଗ୍ରେସ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ ଜିତିବାରେ କଣ୍ଟା ସାଜିଥିବା କୁହାଯାଉଛି ।
