Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିନ୍ଧିଆଙ୍କ ପଥରେ ପାଇଲଟ୍: ଦୁଇ ନେତାଙ୍କ ହେଲା ଭେଟ, ବଢିଲା କଂଗ୍ରେସର ଅଡୁଆ, କଡ ଲେଉଟଉଛନ୍ତି ନିର୍ଦ୍ଦଳୀୟ ବିଧାୟକ !

12/07/2020 at 10:17 PM

ଜୟପୁର ୧୨।୦୭: ରାଜସ୍ଥାନର ରାଜଧାନୀ ଜୟପୁରରେ କ୍ଷମତା ପାଇଁ ଜାରି ସଂଘର୍ଷ ମଧ୍ୟରେ ଅସନ୍ତୁଷ୍ଟ  ସଚିନ ପାଇଲଟ୍ ରବିବାର ନିଜର ପୁରୁଣା ମିତ୍ର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ସୂତ୍ର ଅନୁଯାୟୀ, ରବିବାର ଦ୍ଵିପ୍ରହରରେ ଦୁଇ ନେତା ପ୍ରାୟ ୪୦ ମିନିଟ୍‌ ଧରି ଆଲୋଚନା କରିଥିଲେ। କିନ୍ତୁ ଦୁଇ ନେତା ଏହି ସାକ୍ଷାତକୁ ନେଇ କୌଣସି ସୂଚନା  ଦେଇ ନାହାନ୍ତି। ମାତ୍ର ଏହା ପରେ ସିନ୍ଧିଆ ଟ୍ଵିଟ୍ କରି ନିଜ ବନ୍ଧୁଙ୍କ ପ୍ରତି ସହାନୁଭୂତି ଜଣାଇଛନ୍ତି। ଏହି ବାହାନାରେ ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତାଙ୍କକୁ ଟାର୍ଗେଟ୍ ମଧ୍ୟ କରିଛନ୍ତି।

ସିନ୍ଧିଆ କହିଛନ୍ତି ତାଙ୍କୁ ନିଜ ବନ୍ଧୁଙ୍କ ଅବସ୍ଥା ଦେଖି ଦୁଃଖ ଲାଗୁଛି। ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି। ଏଥିରୁ ଜଣା ପଡୁଛି ଯେ, କଂଗ୍ରେସ୍‌ରେ ପ୍ରଭିଭା ଓ କ୍ଷମତାର କୌଣସି ମହତ୍ଵ ନାହିଁ।

ଦିଲ୍ଲୀରେ ଦୁଇ ନେତାଙ୍କ ଭେଟ କଂଗ୍ରେସର ଚିନ୍ତାକୁ ବଢାଇଛି। ପାଇଲଟ୍ ନିଜର ସମର୍ଥକଙ୍କ ସହିତ ଦିଲ୍ଲୀରେ ଅଛନ୍ତି ଏବଂ କଂଗ୍ରେସ  ହାଇକମାଣ୍ଡଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ ଚଳାଇଛନ୍ତି। ଟାଇମ୍ସ ନାଓ ଚ୍ୟାନେଲ୍‌ର ସୂଚନା ଅନୁଯାୟୀ ରାଜସ୍ଥାନର ପ୍ରାୟ ୪୦ କଂଗ୍ରେସ ବିଧାୟକ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଯୋଗାଯୋଗରେ ନାହାନ୍ତି।

ପିଟିଆଇ ଅନୁଯାୟୀ, ପାଇଲଟ୍‌ ରବିବାର ତାଙ୍କ ପାଖରେ ୩୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ, ରାଜସ୍ଥାନରେ ଅଶୋକ ଗେହଲଟଙ୍କ ସରକାର ବହୁମତ ହରାଇଛି। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ରାଜ୍ୟର ୧୩ ନିର୍ଦ୍ଦଳୀୟ  ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ଅନ୍ୟପଟେ ଗେହଲଟଙ୍କ ବିଧାୟକଙ୍କ ସହିତ ଘନ ଘନ ବୈଠକ ଜାରି ରହିଛି। ବିଧାୟକଙ୍କୁ ଏକଜୁଟ୍ କରିବା ପ୍ରୟାସ ଜାରି ରହିଛି।

ରାଜ୍ୟରେ ଦଳରେ କୌଣସି ଗୋଷ୍ଠୀ ବିଭାଜନ ନଥିବା କଂଗ୍ରେସ କହୁଛି। ଏହା ମଧ୍ୟ କୁହାଯାଇଛି, ପାର୍ଟିର ଅଧିକାଂଶ ବିଧାୟକ ଗେହଲଟଙ୍କ ସଂପର୍କରେ ଅଛନ୍ତି। ମାତ୍ର ସତ୍ୟ ଏହା ଯେ, ରାଜ୍ୟରେ କଂଗ୍ରେସ ସରକାର ସଙ୍କଟରେ ରହିଛି। ଏମିତି ସମୟରେ ସିନ୍ଧିଆଙ୍କ ସହିତ ପାଇଲଟଙ୍କ ସାକ୍ଷାତ କଂଗ୍ରେସ ପାଇଁ ବଡ ଚିନ୍ତାର କାରଣ ପାଲଟିଛି।

   Related Posts