ନବୀନ-କେସିଆର ଭେଟଘାଟକୁ ନେଇ ବିଚଳିତ କଂଗ୍ରେସ : ନିଜ ସ୍ବାର୍ଥ ପାଇଁ ଏମାନେ ଏକାଠି ହୋଇଛନ୍ତି ବୋଲି କହିଲେ ନିରଞ୍ଜନ
24/12/2018 at 7:28 PM

ଭୁବନେଶ୍ୱର ୨୪/୧୨ : ନବୀନ- କେସିଆର ଭେଟଘାଟକୁ ନେଇ କଂଗ୍ରେସ ବିଚଳିତ। ଯେଉଁଥିପାଇଁ ବିଜେପି ଓ ବିଜେଡିକୁ ସିଧା ନିଶାନା ସାଧିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବିଜେପି ବିରୋଧରେ କଂଗ୍ରେସ ମହାମେଣ୍ଟ କରିବାକୁ ପ୍ରାୟସ କରୁଥିବାବେଳେ ନବୀନ ଏବଂ କେସିଆର କଂଗ୍ରେସ ଓ ବିଜେପି ଠାରୁ ଦୂରରେ ରହି ମଞ୍ଚ ପ୍ରସ୍ତୁତ କରୁଛନ୍ତି। ସାଧାରଣ ନର୍ବାଚନ ଫଳାଫଳ ଝୁଲା ହେଲେ ଏମାନଙ୍କ ଦାମ୍ ବଢ଼ିବ। ଯେଉଁଥିରେ ଏମାନେ ମୁଖ୍ୟ ଭୂମିକା ନେବାକୁ ଲକ୍ଷ୍ୟ ରଖିଛନ୍ତି। କଂଗ୍ରେସ ଏବେ ନବୀନ କେସିଆର ମିଳନ ଉପରେ ବିଜେପି ପ୍ରାୟୋଜିତ ରଙ୍ଗ ମାଖିଛି । ଏହାକୁ ବିଜେଡି ହାସ୍ୟସ୍ପଦ ବୋଲି କହିଥିବାବେଳେ ବିଜେପି ଏହାକୁ ବିଲୁଆ ବିଚାର ବୋଲି କହିଛି…

ନବୀନ ଓ କେସିଆର ଭେଟଘାଟକୁ ନେଇ ରାଜନୀତି ଥମୁନି। ଉଭୟଙ୍କ ଭେଟଘାଟକୁ ନେଇ ବିଜେଡି ଓ ବିଜେପି ଭିତିରେ ଥିବା ଗଭୀର ସମ୍ପର୍କ କଥା ଉଠାଇ ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କହିଛନ୍ତି ଧର୍ମନିରପେକ୍ଷ ଶକ୍ତିକୁ ଅଟକାଇବା ପାଇଁ ପ୍ରାୟସ କରୁଛନ୍ତି ନବୀନ ଓ କେସିଆର। ଯାହାର ନାୟକ ସାଜିଛନ୍ତି କେସିଆର। ତେଲଙ୍ଗାନାରେ ବିଜେପି କେସିଆରଙ୍କ ପାର୍ଟି ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ସହିତ ଭିତିରି ବୁଝାମଣା କରିଥିଲା। ଏପଟେ ବିଜେଡି ସଂସଦରେ ବିଜେପିକୁ ସମର୍ଥନ କରୁଆସୁଛି। ଏମାନେ କେବଳ ସମଦୂରାତା କଥା କହୁଛନ୍ତି, କିନ୍ତୁ ସବୁଥିରେ ବିଜେପିକୁ ସମର୍ଥନ କରିଆସିଛନ୍ତି। ଏମାନେ ନିଜ ସ୍ବାର୍ଥ ପାଇଁ ଏକାଠି ହୋଇଛନ୍ତି ବୋଲି କହିଛନ୍ତି ନିରଞ୍ଜନ।

ବର୍ତ୍ତମାନର ରାଜନୈତିକ ସ୍ଥିତି ଦେଖି ସମଭାବାପର୍ଣ୍ଣ ଦଳ ଏକାଠି ହେବାକୁ ପ୍ରୟାସ ଆରମ୍ଭ ହୋଇଛି। ଯଦି ସାଧାରଣ ନିର୍ବାଚନର ଫଳାଫଳ ଝୁଲା ହୁଏ ତେବେ ସମର୍ଥନ ନେଇ ମୂଲଚାଲ କରିବା ଚକରରେ ରହିଛନ୍ତି । ଆଉ ସେଥିପାଇଁ ଏବେ ଠାରୁ ମଞ୍ଚ ପ୍ରସ୍ତୁତ କରିବାରେ ଲାଗିଛନ୍ତି କେସିଆର। କଂଗ୍ରେସ କରିଥିବା ଆରୋପକୁ ବିଜେଡି ହସ୍ୟାସ୍ପଦ ବୋଲି କହିବା ସହ ନବୀନ ଏବଂ କେସିଆର ଧର୍ମ ନିରପେକ୍ଷର ବଡ ଉଦାହାରଣ । ଏପଟେ ବିଜପି କହିଛି ଏହା ବିଲୁଆ ବିଚାର । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପଶ୍ଚିମ ବଙ୍ଗ ଯାଇ ମମତା ବାର୍ନାର୍ଜୀଙ୍କୁ ଭେଟିଛନ୍ତି କେସିଆର । କାଲି ଦିଲ୍ଳୀରେ କେଜେରିଓ୍ବାଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
