ତୈଳର ଦର‌ ବୃଦ୍ଧିକୁ ନେଇ ବିଧାନସଭାରେ ମୁଲତବି ପ୍ରସ୍ତାବ ଆଣିଲା କଂଗ୍ରେସ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ

Published By : Prameya-News7 Bureau | February 23, 2021 IST

ଭୁବନେଶ୍ୱର, ୨୩/୦୨: ରାଜ ରାସ୍ତାରୁ ବିଧାନ ସଭା । ସବୁଠି ହାଲ୍ଲା ବୋଲ । ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ସବୁଠି ପ୍ରତିବାଦ । ବିଧାନସଭାରେ ଏ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆଣି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ସାଢେ ଦଶଟାରେ ବିଧାନ ସଭା ଆରମ୍ଭ ହେବା ପୂର୍ବରୁ ବିଧାୟକ ତାରା ବାହିନି ପତି, ସୁରେଶ ରାଉତରାୟ, ଅଧିରାଜ ପାଣିଗ୍ରାହୀ ପ୍ରମୁଖ ସାଇକେଲରେ ଆସି ବିଧାନସଭାରେ ପହଞ୍ଚିଥିଲେ । ଗୃହ ବାହାରେ ସେମାନେ ତୈଳ ଦର ବୃଦ୍ଧିରେ ପ୍ରତିବାଦ ଜଣାଇଥିଲେ ।

ସେହିପରି ଛାତ୍ର କଂଗ୍ରେସ ମଧ୍ୟ ଏତିକିବେଳେ ପେଟ୍ରୋଲ ପମ୍ପ ସାମ୍ନାରେ ନାରାବାଜି କରିଛି। ପେଟ୍ରୋଲ ପମ୍ପରେ ଲାଗିଥିବା ବିଭିନ୍ନ ସରକାରୀ ବିଜ୍ଞାପନ ଚିରିଛନ୍ତି । ଏଣେ କଂଗ୍ରେସ ଗୃହରେ ମୁଲତବି ପ୍ରସ୍ତାବ ଆଣିଥିଲା । ଉପା ସରକାର ସମୟରେ ତୈଳ କିମ୍ବା ଗ୍ୟାସ ଦର ବୃଦ୍ଧି ଘଟିଲେ ବିଜେପି ଓ ବିଜେଡି ମିଶି ଗ୍ୟାସ ଟାଙ୍କି ଧରି ଆନ୍ଦୋଳନ କରୁଥିଲେ । ଏବେ ବିଜେଡି କାହିଁକି ଚୁପ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଡିଜେଲ ଓ ପେଟ୍ରୋଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଓ ରାଜ୍ୟ ସରକାର ଭାଟ ପ୍ରତ୍ୟାହାର କରିବାକୁ ଦାବି କରିଛି ।

ବିଜେପି ସଦସ୍ୟମାନେ ବି ଏହାକୁ ନେଇ କାଉଁଣ୍ଟର କରିଥିଲେ । ଭାରତରେ ତୈଳ ଦର ଜର୍ମାନୀ ଫ୍ରାନସ ଇଂଲଣ୍ଡ ସହିତ କମ୍‌ ଥିବା ଦର୍ଶାଇଥିଲେ । କୋଭିଡ ଓ ଅନ୍ୟାନ୍ୟ ଗରିବ କଲ୍ୟାଣ ଯୋଜନା ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ତାହା କେଉଁଠୁ ଆସିବ ବୋଲି ବିଜେପି ସଦସ୍ୟ ପ୍ରଶ୍ନ କରିଥିଲେ । ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, କେନ୍ଦ୍ର ସରକାର ଭିତ୍ତିଭୂମି ଓ କୃଷି ପାଇଁ ଯେଉଁ ୧୮ ପ୍ରତିଶତ ସେସ୍ ଆଦାୟ କରୁଛନ୍ତି ତାହା ଛାଡ ହେଲେ ତୈଳ ଦର କମିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.