ବିଜାପୁର ଏନକାଉଣ୍ଟର ମାମଲାରେ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ: 'ନକ୍ସଲ ହମଲା ପରେ ବି ସିନେତାରକାଙ୍କ ସହ କରୁଥିଲେ ରାଲି'

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ ୦୫/୦୪ : ଛତିଶଗଡ଼ ବିଜାପୁରରେ ବଡ ଧରଣର ନକ୍ସଲ ହମଲା ହୋଇଛି। ନକ୍ସଲ ହମଲାରେ ଏବେ ସୁଦ୍ଧା ୨୨ ଯବାନଙ୍କ ଶବ ଉଦ୍ଧାର ହୋଇଛି। ଏବେ ବି ଜଣେ ଯବାନ ନିଖୋଜ ଅଛନ୍ତି। ହମଲାରେ ମୋଟ ୩୨ ଯବାନ ଆହତ ମଧ୍ୟ ହୋଇଛନ୍ତି। ଯବାନଙ୍କ ଉପରେ ନକ୍ସଲ ହମଲାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ମାମଲାରେ କଂଗ୍ରେସ ଗୃହମନ୍ତ୍ରୀଙ୍କ ଉପରେ ଦାୟିତ୍ବହୀନତାର ଆରୋପ ଲଗାଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି।

କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେବାଲା କହିଛନ୍ତି," ଅମିତ ଶାହ ଯେବେଠୁଁ ଦେଶର ଗୃହମନ୍ତ୍ରୀ ହୋଇଛନ୍ତି ସେବେଠୁ ୫୨୧୩ ନକ୍ସଲ ହମଲା ହୋଇଛି। ଏହି ହମଲାରେ ୪୧୬ ଜଣ ପ୍ରାଣ ହରାଇଛନ୍ତି। ଏ ସମ୍ପର୍କରେ ସରକାର ନିଜେ ସଂସଦରେ ସୂଚନା ଦେଇଛନ୍ତି।"

ସେ କହିଛନ୍ତି, ଏହି ଘଟଣା କେବେ ଘଟିଥିଲା ? ସମସ୍ତେ ଜାଣିଛନ୍ତି ଏପ୍ରିଲ ୩ ତାରିଖ ବିଜାପୁର ସତାନା ସୀମାରେ ଏନକାଉଣ୍ଟର ହୋଇଥିଲା। ଦେଶର ଗୃହମନ୍ତ୍ରୀ ୨୪ ଘଣ୍ଟା ଯାଏଁ କିଛି ପ୍ରତିକ୍ରିୟା ରଖିନଥିଲେ। ଯେତେବେଳେ ହମଲା ହୋଇଥିଲା ସେତେବେଳେ ଗୃହମନ୍ତ୍ରୀ ତାମିଲନାଡୁରେ ରୋଡ଼ ଶୋ' କରୁଥିଲେ। ଏହାପରେ ସେ ଆଉ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ତଥାପି ଦିଲ୍ଲୀ କିମ୍ବା ଛତିଶଗଡ଼ ଯାଇନଥିଲେ। ବରଂ କେରଳରେ ଦୁଇଟି ସ୍ଥାନରେ ଜନସଭା ଓ ରୋଡ଼ ଶୋ' କରୁଥିଲେ। ତାପରେ ପୁଣି ଆସାମ ଯାଇ ସେଠାରେ ରାଲି କରିଥିଲେ। ତାପରେ ଶେଷ ଦୁଇଟି ରାଲି ନ କରି ଦେଶ ଉପରେ ବହୁତ ବଡ ଉପକାର କରିଦେଲେ। ଦେଶର ଗୃହମନ୍ତ୍ରୀ ଏତେ ଅସହାୟ ହୋଇପାରେକି ? ନକ୍ସଲଙ୍କୁ ମୁକାବିଲା କରିବା ଗୃହମନ୍ତ୍ରୀଙ୍କ ଦାୟିତ୍ୱ।"

ରଣଦୀପ ସୁରଜେବାଲା ସାମ୍ବାଦିକଙ୍କୁ କହିଛନ୍ତି ଯେ, ଆଉ କେଉଁ ଗୃହମନ୍ତ୍ରୀ ହୋଇଥିଲେ ଇସ୍ତଫା ଦାବି ହୋଇଥାନ୍ତା। ଜଣେ ଗୃହମନ୍ତ୍ରୀ ମୁମ୍ବାଇ ହମଲା ସମୟରେ ପୋଷାକ ବଦଳାଇ ଦେଇଥିଲେ ବୋଲି ଆପଣମାନେ ଇସ୍ତଫା ଦାବି କରିଥିଲେ। ତାହେଲେ ଏମିତି ବ୍ୟକ୍ତିଙ୍କୁ ପଦବୀରେ ରହିବାର ଅଧିକାର ଅଛି କି ? ଯିଏ ହମଲା ସମୟରେ ସିନେ ତାରକାଙ୍କ ସହ ତାମିଲନାଡୁରେ ରାଲି କରୁଥିଲେ। ୨୪ ଘଣ୍ଟା ଯାଏଁ କୌଣସି ଉଦ୍ଧାରକାରୀ ଦଳ ଯାଇନଥିଲେ। ଦେଶର ଇତିହାସରେ କେଉଁ ଗୃହମନ୍ତ୍ରୀ ଏହିଭଳି କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.