ମମିତା ମେହେରଙ୍କ ପରିବାରକୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ, ଦୋଷୀକୁ ଫାଶୀ ପାଇଁ ଦାବି କଲେ ଏଆଇସିସି ସାଧାରଣ ସମ୍ପାଦକ

Published By : Prameya-News7 Bureau | October 28, 2021 IST

ବଲାଙ୍ଗୀର ୨୮।୧୦: ମମିତା ମେହେରଙ୍କ ମୃତ୍ୟୁ ଘଟଣା ନିର୍ଭୟା, ପରୀ କିମ୍ବା ଲକ୍ଷ୍ମୀମପୁର ଘଟଣାରୁ କମ୍ ନୁହେଁ । ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଦୋଷୀକୁ ଫାଶୀ ଏବଂ ସମ୍ପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସୁର୍ଜେବାଲା । ଏଥିସହ ମମିତାଙ୍କ ଭାଇ ପିଣ୍ଟୁକୁ ସରକାରୀ ଚାକିରୀ ଏବଂ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦେବା ଏବଂ ପରିବାରକୁ ସୁରକ୍ଷା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି ।

କଂଗ୍ରେସ ଦଳର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ହେଲିକ୍ୟାପ୍ଟରରେ ବଲାଙ୍ଗିର ଗସ୍ତରେ ଆସି କଣ୍ଟାବାଞ୍ଜି ଝରଣୀ ଗାଁକୁ ଯାଇଥିଲେ । ସେଠାରେ ପ୍ରତିନିଧି ଦଳ ପରିବାର ଲୋକଙ୍କୁ ଭେଟିବା ସହ ତାଙ୍କୁ ସମବେଦନା ଜଣାଇଥିଲେ । ଏହାସହ ପରିବାର ଲୋକଙ୍କୁ ନ୍ୟାୟ ଦେବା ସହ ଯେଭଳି ଭାବରେ ଦୋଷୀକୁ ଫାଶୀ ଦିଆଯିବ ସେନେଇ କଂଗ୍ରେସ ପକ୍ଷରୁ ପଦକ୍ଷେପ ନିଆଯାଇ ଏହାକୁ ଜାତୀୟ ପ୍ରସଙ୍ଗ କରାଯିବ ବୋଲି କହିଥିଲେ ।

ସେପଟେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଏ ଘଟଣାକୁ ସମ୍ବେଦନଶୀଳ କହିବା ସହ ଯାହା ସାହାଯ୍ୟ ସହଯୋଗ ଆବଶ୍ୟକ ତାହା ପରିବାର ଲୋକଙ୍କୁ ଦିଆଯିବ ବୋଲି କହିଥିଲେ । ସେପଟେ ମମିତାଙ୍କ ମା’ ଅସୁସ୍ଥ ଥିବାବେଳେ ତାଙ୍କୁ ଦିଲ୍ଲୀରେ ଉତ୍ତମ ଚିକିତ୍ସା କରାଇବାର ବ୍ୟବସ୍ଥା ସୋନିଆ ଗାନ୍ଧୀ କରାଇବାକୁ କହିଥିବା ଏଆଇସିସି ସମ୍ପାଦକ କହିଛନ୍ତି । ସେହିପରି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପୋଲିସର ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।  ଡ଼ିଆଇଜି ଉପର ମହଲରୁ ନିର୍ଦ୍ଦେଶ ପାଇ ଘଟଣାର ତଦନ୍ତ ଏବଂ ସୂଚନା ଦେଉଥିବା କହିଛନ୍ତି । ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦିଅନ୍ତୁ ବୋଲି ବାରମ୍ବାର କହିବା ପରିବର୍ତ୍ତେ କିଛି କରୁନଥିବାରୁ ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି କହିଥିଲେ । ଏହି ପ୍ରତିନିଧି ଦଳରେ ରାଜ୍ୟ ପ୍ରଭାରୀ ଚେଲାକୁମାର ମଧ୍ୟ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.