ରାହୁଲଙ୍କୁ 'ପପ୍ପୁ' କହିବା ପଡିଲା ମହଙ୍ଗା ; କଂଗ୍ରେସର ବିରୋଧ ପରେ ପ୍ରଚାର ଅଧାରେ ଛାଡି ପଳାଇଲେ ବିଜେପି ସାଂସଦ

Published By : Prameya-News7 Bureau | December 03, 2018 IST

ବାଂଶବାଡା ୩/୧୨ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର | ସବୁ ଦଳ ନିଜ ନିଜର ଦବଦବା ଜାରି ରଖିଛି | ଏମିତି ପରିସ୍ଥିତିରେ ରାଜସ୍ଥାନର ବାଂଶବାଡାର ବିଜେପିର ଜଣେ ସାଂସଦ ନିର୍ବାଚନ ପ୍ରଚାର ପାଇଁ ଯାଇଥିବାବେଳେ ଏକ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ 'ପପ୍ପୁ' କହି ଅସୁବିଧାର ସମ୍ମୁଖୀନ ହୋଇଥିଲେ | ବିଜେପି ସାଂସଦ ଦେବାଜି ଭାଇ ରାଜସ୍ଥାନରେ ବିଜେପିର ନିର୍ବାଚନ ପ୍ରଚାର କରିବା ପାଇଁ ପହଂଚିଥିଲେ | ସେଠାରେ ଏକ ସମାରୋହରେ ଭାଷଣ ଦେବାବେଳେ ରାହୁଲ ଗାନ୍ଧୀଙ୍କୁ 'ପପ୍ପୁ' ବୋଲି କହିଥିଲେ | ସାଂସଦଙ୍କ ମୁହଁରୁ ନିଜ ପ୍ରିୟ ନେତାଙ୍କ ବିଷୟରେ ଏଭଳି ଶୁଣି ସେଠାରେ ଉପସ୍ଥିତ ଥିବା କଂଗ୍ରେସ କାଉନସିଲର ମହିଳାମାନେ ଉତକ୍ଷିପ୍ତ ହୋଇଯାଇଥିଲେ | ଏହାପରେ କଂଗ୍ରେସ କାଉନସିଲରଙ୍କ ସହ ମିଶି ସ୍ଥାନୀୟ ଲୋକେ ବିଜେପି ସାଂସଦଙ୍କୁ ଘେରି ଯାଇଥିଲେ | ଶେଷରେ ପରିସ୍ଥିତି ଏମିତି ହେଲା ଯେ ସାଂସଦଙ୍କୁ ସେଠାରୁ ଯିବାକୁ ପଡିଲା | ଦେବାଜି ଭାଇ ଗୁଜରାଟର ସୁରେନ୍ଦ୍ରନଗରର ବିଜେପି ସାଂସଦ | ସେ ରାଜସ୍ଥାନ ବାଂଶବାଡାକୁ ନିଜ ଦଳର ପ୍ରଚାର ପ୍ରସାର ପାଇଁ ଯାଇଥିଲେ | ବିଜେପି ପ୍ରତିନିଧି ହକରୁ ମଇଡାଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବା ପାଇଁ ପହଂଚିଥିଲେ | ସେ ସେଠାରେ ଏକ ବୈଠକରେ ଯୋଗ ଦେଇଥିଲେ | ସେଠାକାର ଜିଲ୍ଲା ପରିଷଦ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ | ବୈଠକରେ ସେ ସାଂସଦଙ୍କୁ ପ୍ରଶ୍ନ କରିଥିଲେ, ଯେ ସେଠାରେ ବିଗତ ୫ ବର୍ଷ ହେଲା ବିଜେପି ଶାସନ ଚାଲି ଆସୁଛି | ତଥାପି ଜିଲ୍ଲାରେ କୌଣସି ଉନ୍ନତି ହୋଇନାହିଁ | ଏପରିକି ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଢିପ ରହିଛି | ବିଜେପି ସରକାର ରାସ୍ତା ମରାମତି କାମ ମଧ୍ୟ ମରିନାହିଁ | ତେବେ ରାସ୍ତା ମରାମତି କରିବା ପାଇଁ ସେ ସାଂସଦଙ୍କୁ ନିବେଦନ କରିଥିଲେ | ଏହିସବୁ କଥା ଶୁଣିବା ପରେ ଦେବାଜି ଭାଇ ରାଗିଯାଇ ବୈଠକରେ ଉପସ୍ଥିତ ଲୋକଙ୍କୁ ପଚାରିଥିଲେ ଯେ, ଏହି ସ୍ତ୍ରୀ ଲୋକ ଜଣକ କିଏ ? ଏତିକିବେଳେ ବୈଠକରେ ଉପସ୍ଥିତ ଲୋକେ କହିଥିଲେ ଯେ, ସେ ସେଠାକାର କଂଗ୍ରେସ କାଉନସିଲର | ଏତିକି ଶୁଣି ସାଂସଦ ରାଗିପାଚି ଲାଲ ହୋଇଯାଇଥିଲେ | ସେ ରାଗରେ ଜର୍ଜରିତ ହୋଇ କହିଥିଲେ, ନିଜ ପପ୍ପୁକୁ କୁହ ଖାଲ ଢିପ ଠିକ କରିବା ପାଇଁ | ବାସ ଏତିକି କଥାରେ କଂଗ୍ରେସ ମହିଳା କାଉନସିଲର ଉତ୍ତେଜିତ ହୋଇଯାଇଥିଲେ | ସେ ପ୍ରଶ୍ନ କଲେ ଯେ, ସାଂସଦଙ୍କୁ ଏହି ଅଧିକାର କିଏ ଦେଲା ଯେ ସେ ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି କହିବେ | ଏହାପରେ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ | ଉଭୟଙ୍କ ଏହି ଭିଡିଓ ମଧ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ତଥାପି ପରିସ୍ଥିତି ଥଣ୍ଡା ପଡ଼ିନଥିଲା | ଉଭୟଙ୍କ ଯୁକ୍ତିତର୍କ ଏତେ ବଢି ଯାଇଥିଲା ଯେ, ସେଠାରେ ଆଖପାଖ ଲୋକେ ମଧ୍ୟ ଆସି ସାଂସଦଙ୍କୁ ଘେରି ଯାଇଥିଲେ | ପରିସ୍ଥିତି ଏଭଳି ହେଲା ଯେ ଶେଷରେ ସାଂସଦଙ୍କୁ ସେଠାରୁ ଆସିବାକୁ ପଡିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.