ଉପ ନିର୍ବାଚନ: ହିମାଚଳ ପ୍ରଦେଶରେ କଂଗ୍ରେସର କ୍ଲିନ ସୁଇପ୍ , ମାଟି କାମୁଡିଲା ବିଜେପି

Published By : Prameya-News7 Bureau | November 02, 2021 IST

ନୂଆଦିଲ୍ଲୀ ୦୨।୧୧: ଦେଶର ବିଭିନ୍ନ ରାଜ୍ୟରେ ଲୋକସଭା ଏବଂ ବିଧାନସଭାରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପିକୁ ଜୋରଦାର ଝଟକା ଲାଗିଥିବା ବେଳେ କଂଗ୍ରେସ ଶିବିରରେ ଖୁସିର ମାହୋଲ ରହିଛି। ହିମାଚଳ ପ୍ରଦେଶରେ ମଣ୍ଡି  ଲୋକସଭା ସହିତ ଅର୍କି, ଫତେହପୁର, ଜୁବଲ-କୋଟଖାଇ ବିଧାନସଭା ଆସନରେ  ହୋଇଥିବା ଉପ ନିର୍ବାଚନରେ ବିଜେପିକୁ ଜୋରଦାର ଝଟକା ଲାଗିଛି। ଅନ୍ୟପଟେ କଂଗ୍ରେସ ସମସ୍ତ ତିନି ବିଧାନସଭା ଆସନରେ ବିଜୟ ହାସଲ କରିଛି। ଉପ ନିର୍ବାଚନ ଫଳାଫଳକୁ ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନର ସେମି ଫାଇନାଲ୍ ଭାବେ ଦେଖା ଯାଉଛି।

ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ୨୦୧୯ରେ  ବିଜେପି  ପ୍ରାର୍ଥୀ ରାମସ୍ଵରୂପ ଶର୍ମା ବିଜୟୀ ହୋଇଥିଲେ। ହେଲେ ଗତ ଦିନରେ ତାଙ୍କର ପରଲୋକ ଘଟିଥିଲା। ଏବେ ଉପ ନିର୍ବାଚନରେ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହଙ୍କୁ ପ୍ରାର୍ଥୀ କରିଥିଲା। ଅନ୍ୟପଟେ ବିଜେପି କାରଗିଲ ଯୁଦ୍ଧର ହିରୋ କୁଶାଳ ସିଂହ ଠାକୁରଙ୍କୁ ମଇଦାନରେ ଓହ୍ଲାଇଥିଲା। ଏଠାରେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। କଂଗ୍ରେସ ପ୍ରାର୍ଥୀଙ୍କୁ ୩,୬୫, ୬୫୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର କୁଶଲ ଠାକୁରଙ୍କୁ ୩,୫୬,୮୮୪ ଖଣ୍ଡ ଭୋଟ୍ ମିଳିଛି। ଏହିପରି କଂଗ୍ରେସ ପ୍ରାର୍ଥୀ ପ୍ରତିଭା ସିଂହ ୮୭୬୬ ଖଣ୍ଡ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ଏହି ଲୋକସଭା ସହିତ କଂଗ୍ରେସ ଅର୍କି, ଫତେହପୁର, ଜୁବଲ-କୋଟଖାଇ ବିଧାନସଭା ଆସନରେ ବିଜେପିକୁ ପରାସ୍ତ କରିବାରେ ସଫଳ ହୋଇଛି।

ଉପ ନିର୍ବାଚନରେ ବିଜେପିର ପରାଜୟର ସିଧାସଳଖ ପ୍ରଭାବ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ରାଜନୈତିକ ଜୀବନ ଉପରେ ପଡିବ। କାରଣ ପୂରା ନିର୍ବାଚନ ତାଙ୍କ ନେତୃତ୍ଵରେ ହିଁ ଲଢାଯାଇଥିଲା। ହେଲେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡିଛି। ଏବେ ଠାକୁରଙ୍କ ମୁଖ୍ୟମନ୍ତ୍ରୀ ଛବି ସହିତ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ମଧ୍ୟ ସଙ୍କଟ ଦେଖା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.