ବ୍ରହ୍ମପୁର ୨୨।୫: କଂଗ୍ରେସର ଆସ୍କା ବିଧାନସଭା ଆସନ ପ୍ରାର୍ଥୀ ମନୋଜ ଜେନାଙ୍କୁ ଆଜି ବିଳମ୍ବିତ ସନ୍ଧ୍ୟାରେ ଗୁଳିମାଡ ହୋଇଛି। ଫଳରେ ମନୋଜ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଏମକେସିଜି ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତାଙ୍କ ଗଳା, ପେଟ ଓ ଅଣ୍ଟାରେ ଗୁଳି ବାଜିଛି। ମନୋଜ ସନ୍ଧ୍ୟାରେ ଭୁବନେଶ୍ବରରୁ ବ୍ରହ୍ମପୁର ଫେରୁଥିବା ବେଳେ ଗୋଟିଏ ମୋଟରସାଇକେଲରେ ତାଙ୍କ ଗାଡିର ପିଛା କରୁଥିବା ୨ ଜଣ ଦୁର୍ବୃତ୍ତ ବାଇପାସ ନିକଟ ଲାଞ୍ଜିପଲ୍ଲୀଠାରେ ଅନ୍ଧାଦୁନିଆ ଗୁଳିମାଡ କରି ଖସି ପଳାଇଥିଲେ।
ଦୁର୍ବୃତ୍ତମାନେ ଗୋଳନ୍ଥରା ଦେଇ ଖସି ପଳାଉଥିବା ବେଳେ ରାସ୍ତାରେ ସେମାନଙ୍କ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଣୁ ଦୁର୍ବୃତ୍ତ ବାଇକ୍ ଓ ଗୁଳିକାଣ୍ଡରେ ବ୍ୟବହୃତ ୨ଟି ମାଉଜର ଛାଡି ପଳାଇଛନ୍ତି। ପୋଲିସ ପହଞ୍ଚି ମୋଟରସାଇକେଲ ଓ ମାଉଜର ୨ଟିକୁ ଜବତ କରିଛି । ତେବେ ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ । ପୋଲିସ ମାମଲାର ଅନୁସନ୍ଧାନ ଜାରୀ ରଖିଛି । ସେପଟେ ଆଜି ବ୍ରହ୍ମପୁର ଟାଟା ବେଞ୍ଜ ଛକରେ ଜନୈକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି। ୫ ଜଣ ଯୁବକ ଛକରେ ଥିବା ମଦଦୋକାନ ଆଗରେ ଯୁବକଙ୍କୁ ଖଣ୍ଡାରେ ହାଣିଛନ୍ତି। ଫଳରେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି।