କଂଗ୍ରେସ ଭାଙ୍ଗିଲା ୪୬ ବର୍ଷର ପରମ୍ପରା : ସଚ୍ଚିନ ହେବେ କି ସିକନ୍ଦର !

Published By : Prameya-News7 Bureau | November 17, 2018 IST

ଜୟପୁର ୧୭|୧୧: ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସର ପଲ୍ଲା ଭାରି ରହିବ କି ?  ବସୁନ୍ଧରା ରାଜେ ସିନ୍ଧିଆଙ୍କ ସିଂହାସନ ଛଡାଇନେବେ କି ସଚ୍ଚିନ ପାଇଲଟ୍ ?  ଏମିତି ପ୍ରଶ୍ନ ବେଳେ ସର୍ବେ ଆକଳନ କିନ୍ତୁ କଂଗ୍ରେସକୁ ଦେଉଛି ବେଶି ୱେଟେଜ୍ । ତେବେ ନଗଦ ଆଲୋଚନାର କାରଣଟି ହେଲା ରାଜସ୍ଥାନରେ ପ୍ରାର୍ଥୀ ଘୋଷଣା ବେଳେ ୪୬ ବର୍ଷର ପରମ୍ପରା ଭାଙ୍ଗିଛି  କଂଗ୍ରେସ ।  ଆଉ ମୁଖ୍ୟମନ୍ତ୍ରୀ ପଦବୀ ଦୌଡର ଫ୍ରଣ୍ଟ୍‌ ରନର ସଚ୍ଚିନ ପାଇଲଟଙ୍କୁ ଟୋଙ୍କ ବିଧାନସଭା ଆସନରୁ ପ୍ରାର୍ଥି କରିଛି କଂଗ୍ରେସ । ଦୀର୍ଘ ୪୬ ବର୍ଷ ହେବ ଏହି ଆସନରୁ ମୁସଲିମ୍‌ ନେତାଙ୍କୁ କଂଗ୍ରେସ ଟିକଟ୍ ଦେଇ ଆସୁଥିଲା । ଏବେ ସେଠାରେ ଲଢିବେ ପାଇଲଟ୍ । ଯଦିଓ ପାଇଲଟ କହିଛନ୍ତି, ତାଙ୍କ ଇଚ୍ଛାରେ ନୁହେଁ ସେ ଦଳର ମନୋନୟନ ଏବଂ ନିଷ୍ପତ୍ତି ଆଧାରରେ ଟୋଙ୍କ ଆସନରେ ନିର୍ବାଚନ ଲଢିବେ । ତେବେ ଏହି ସୂଚନା କିଛି ମାସ ତଳୁ ମିଳୁଥିଲା । ଟୋଙ୍କ ଜିଲ୍ଲାର ପ୍ରସିଦ୍ଧ ଦେବନାରାୟଣ ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ଦର୍ଶନ ଲାଗି ପିତା ରାଜେଶ ପାଇଲଟଙ୍କ ସହ ଅଳ୍ପ କେଇଥର ଯାଇଥିବା ସଚ୍ଚିନ ଗତ ସେପ୍ଟେମ୍ବରରେ  ତାଙ୍କ ଦୁଇ ପୁଅ ଆରନ୍ ଓ ବେହାନଙ୍କୁ ଧରି ସେହି ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଟୋଙ୍କରେ  ଭୋଟର ସଂଖ୍ୟା ପ୍ରାୟ ୨ ଲକ୍ଷ ୨୦ ହଜାର ହେବ । ସେଥିରୁ ମୁସଲିମ୍‌ଙ୍କ ସଂଖ୍ୟା ୪୦ ରୁ ୫୦ ହଜାର । ସେଥିଲାଗି ୧୯୭୨ରୁ ସେଠାରେ ମୁସଲିମ୍ ପ୍ରାର୍ଥି ଦେଉଛି କଂଗ୍ରେସ । କିନ୍ତୁ ବିଜେପି ସବୁବେଳେ ଆରଏସଏସ୍‌ ପୃଷ୍ଠଭୂମିର ନେତାଙ୍କୁ ଟିକଟ୍ ଦେଉଛି । ୨୦୧୪ ଓ ତାପର ଉପନିର୍ବାଚନରେ ବିଜେପି ଏହି ଆସନ ନେଇଛି । ତେବେ  ୪୧ ବର୍ଷୀୟ ପାଇଲଟ୍ଙ୍କ ଲୋକସଭା ଆସନ ମଧ୍ୟରେ ଥିବା ଟୋଙ୍କରେ ତାଙ୍କୁ ପ୍ରାର୍ଥୀ କରି କଂଗ୍ରେସ ନୂଆ ରଣନୀତି କରିଛି । କାରଣ ଟୋଙ୍କର ମୁସଲିମ ନେତାଏ ପାଇଲଟଙ୍କ  ସହ ସଂପର୍କରେ ଅଛନ୍ତି । ଏବେ ଚର୍ଚ୍ଚା ଟୋଙ୍କରୁ ଜିତି ସଚ୍ଚିନ ହେବେ ମୁଖ୍ୟମନ୍ତ୍ରୀ, ରାଜସ୍ଥାନର ଶାସନ ଡୋରି ଧରିବେ, ହେବେ ସିକନ୍ଦର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.