ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା : ବିଜେପିର ମାଷ୍ଟରଷ୍ଟ୍ରୋକ୍ ବନାମ କଂଗ୍ରେସ ହିଟ୍ ଓ୍ୱିକେଟ୍, ଅର୍ଥ କ'ଣ?

Published By : Prameya-News7 Bureau | September 19, 2021 IST

ନୂଆଦିଲ୍ଲୀ, ୧୯।୦୯ :  ପଞ୍ଜାବରେ କଂଗ୍ରେସର କନ୍ଦଳ ଚରମ ସୀମାରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ କଂଗ୍ରେସକୁ ବିଜେପି ତୀବ୍ର କଟାକ୍ଷ କରିଛି । ବିଧାନସଭା ନିର୍ବାଚନ ଆଉ ମାତ୍ର ୫ ମାସ ଥିବା ବେଳେ ଦଳରେ ଏତେ ବଡ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କଂଗ୍ରେସ ଦଳ ବିରୋଧରେ ବୋହୁଥିବା ହାଓ୍ୱାକୁ ପ୍ରଶମିତ କରିବାକୁ ଏହି ନିଷ୍ପତ୍ତି ନେଇଥିବା ସଫେଇ ଦେଇଛି ।

କେବଳ କଂଗ୍ରେସ ନୁହେଁ, ମାତ୍ର ୫ ଦିନ ତଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ବିଜେପି ପଦରୁ ହଟାଇଥିଲା । ତାଙ୍କ ବଦଳରେ ଭୂପେନ୍ଦ୍ର ପଟେଲଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିଥିଲା । ଏପରିକି ପୁରା କ୍ୟାବିନେଟ୍ ପରିବର୍ତ୍ତନ କରାଯାଇଥିଲା । ସମସ୍ତ ନୂଆ ଚେହେରା କ୍ୟାବିନେଟରେ ସାମିଲ ହୋଇଥିଲେ । ବିଜେପି ନିର୍ବାଚନ ଜିତିବା ପାଇଁ ଉତ୍ତରାଖଣ୍ଡ  ଓଗୁଜୁରାଟରେ ଯାହା କରିଥିଲା ତାହା ଏବେ କଂଗ୍ରେସ ପଞ୍ଜାବରେ କରିଛି ।

ଭାରତୀୟ ଜନତା ପାର୍ଟି ଗତ ମାର୍ଚ୍ଚରେ ଉତ୍ତରାଖଣ୍ଡରେ ତ୍ରିବେନ୍ଦ୍ର ସିଂ ରାଓ୍ୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ତୀରଥ ସିଂଙ୍କୁ ଦାୟିତ୍ୱ ଦେଇଥିଲା । ମାତ୍ର ୪ ମାସ ପରେ ତୀରଥଙ୍କୁ ହଟାଇ ପୁଷ୍କର ସିଂଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ଉତ୍ତରାଖଣ୍ଡ ପରେ କର୍ଣ୍ଣାଟକରେ ମଧ୍ୟ ବିଏସ ୟେଦିୟୁରପ୍ପାଙ୍କୁ ହଟାଇ ବସବରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ପ୍ରଦାନ କରିଥିଲା । ଚଳିତ ବର୍ଷ ଦଳ ତିନୋଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କଲାଣି ।

କିନ୍ତୁ ଫରକ ହେଉଛି ଯେ, ବିଜେପି ଏହି ସବୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ନିର୍ବାଚନ ଲଢିଥିଲା । କିନ୍ତୁ ୨୦୧୭ରେ କଂଗ୍ରେସ ପଞ୍ଜାବରେ କ୍ୟାପ୍ଟେନ୍ ଅମରିନ୍ଦର ସିଂଙ୍କ ନାଁରେ ନିର୍ବାଚନ ଲଢିଥିଲା । ଅର୍ଥାତ ଦଳର ବିଜୟ ପାଇଁ କ୍ୟାପ୍ଟେନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କ୍ୟାପ୍ଟେନଙ୍କ ବିରୋଧ ସତ୍ତ୍ୱେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଦଳ ପିସିସି ସଭାପତି କରିଥିଲା ।

ଦେଶର ମାତ୍ର ତିନୋଟି ରାଜ୍ୟରେ କଂଗ୍ରେସ ସରକାର ରହିଛି । ଏହି ୩ ରାଜ୍ୟରେ ଦଳ ଗୋଷ୍ଠୀ କନ୍ଦଳର ସାମ୍ନା କରୁଛି । ବିଜେପିରେ ହାଇକମାଣ୍ଡଙ୍କ ନିଷ୍ପତ୍ତି ଚୂଡାନ୍ତ ହୋଇଥାଏ । କିନ୍ତୁ କଂଗ୍ରେସରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅନେକ ନେତା ଗ୍ରହଣ କରୁନାହାଁନ୍ତି । ଯଦି ଦଳ ଏନେଇ ପଦକ୍ଷେପ ନ ନିଏ ଆଗାମୀ ଦିନରେ ୩ ରାଜ୍ୟ ମଧ୍ୟ କଂଗ୍ରେସ ହାତରୁ ଖସିଯିବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.