ହାତ ଛାଡି ବିଜେପିରେ ସାମିଲ୍ ଆରପିଏନ ସିଂହଙ୍କୁ କଂଗ୍ରେସର ଟାର୍ଗେଟ୍, 'କାପୁରୁଷ ଲୋକ ଲଢେଇ କରି ପାରିବେ ନାହିଁ'

Published By : Prameya-News7 Bureau | January 25, 2022 IST

ମୁମ୍ବାଇ ୨୫।୦୧: କଂଗ୍ରେସ ଛାଡି ବିଜେପିରେ ସାମିଲ୍ ଆରପିଏନ ସିଂହଙ୍କୁ ଟାର୍ଗେଟ୍ କଲା କଂଗ୍ରେସ। ପାର୍ଟିର ମୁଖପାତ୍ର ସୁପ୍ରିୟା ଶ୍ରୀନେତ  କହିଛନ୍ତି, ଏହା ବହୁତ ବଡ ଲଢେଇ। ଏଥିରେ କାପୁରୁଷ ଲୋକ ଲଢି ପାରିବେ ନାହିଁ। ଏହି ମୁସ୍କିଲ ଲଢେଇ ସାହାସ, ବୀରତା, ବାହାଦୂରୀରେ ଲଢାଯାଇ ପାରିବ। କାରଣ ଏହି ଲଢେଇ ଏକ ଦମ୍ଭକାରୀ ସରକାର, ତାର ଅହଙ୍କାର, ସେମାନଙ୍କର ଏଜେନ୍ସି, ପୁଞ୍ଜିବାଦୀ ଏବଂ ସବୁ ପ୍ରକାରର ଦ୍ଵେଷ ବିରୋଧରେ ଲଢାଯାଉଛି। ଏସବୁ ବିରୋଧରେ ଲଢିବା ପାଇଁ ସାହାସ ଦରକାର। ଏହା ସତ୍ୟର ଲଢେଇ ବୋଲି ଶ୍ରୀନେତ କହିଛନ୍ତି।

ସୁପ୍ରିୟା କହିଛନ୍ତି, ପ୍ରିୟଙ୍କା ଗାନ୍ଧୀଙ୍କ ମତରେ କାପୁରୁଷ ଲୋକ ଏହି ଲଢେଇ ଲଢି ପାରିବେ ନାହିଁ। ସେ ନିଜ ପକ୍ଷରୁ ଦଳ ଛାଡୁଥିବା ନେତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା ଦେଇଥାନ୍ତି। ଆଶା କରୁଛୁ, ବୋଧହୁଏ ସମୟ ଆସିଲେ ସେ ଜାଣି ପାରିବେ ଯେ, ପ୍ରତିକୂଳ ପରିସ୍ଥିତିରେ ଲଢେଇ କରିବା ହିଁ ବୀରର କର୍ତ୍ତବ୍ୟ।

କୁଅଁର ରତନଜୀତ ପ୍ରତାପ ନାରାୟଣ ସିଂହ ଅର୍ଥାତ ଆରପିଏନ ସିଂହ   ମଙ୍ଗଳବାର କଂଗ୍ରେସ ଛାଡି ଶେଷରେ ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ୍ ହୋଇଛନ୍ତି। ପଡରୌନା ରାଜପରିବାରର ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଆରପିଏନ ସିଂହ ତିନି ଥରର ବିଧାୟକ ଏବଂ ଥରେ ସାଂସଦ ରହିଛନ୍ତି। ସେ କଂଗ୍ରେସର ଝାଡଖଣ୍ଡ ପ୍ରଭାରୀ ଥିଲେ।

ବିଜେପିର ସଦସ୍ୟତା ଗ୍ରହଣ କରିବା ପରେ ଆରପିଏନ ସିଂହ କହିଛନ୍ତି, ବିଜେପିରେ ସାମିଲ୍ କରାଇଥିବାରୁ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଦେଶର କୀର୍ତ୍ତିପୁଞ୍ଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। କିଛି ବର୍ଷରେ ଆମର ମାନନୀୟ ପ୍ରଧାନମନ୍ତ୍ରୀ ପ୍ରାଚୀନ ସଂସ୍କୃତିକୁ ଏକବିଂଶ ଶତାବ୍ଦୀ ସହ ଯୋଡି ରାଷ୍ଟ୍ର ନିର୍ମାଣରେ ଯେଉଁ କାମ କରିଛନ୍ତି, ପୂରା ଦେଶ ଏହାର ପ୍ରଶଂସା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.