ପଶ୍ଚିମବଙ୍ଗରେ କଂଗ୍ରେସ-ବାମ ଦଳ ମେଣ୍ଟ : ୧୯୩ଟି ଆସନରେ ସରିଛି ପ୍ରାର୍ଥୀ ଚୟନ, ଜାଣନ୍ତୁ କାହା ଭାଗରେ ପଡିଛି କେତେ ସିଟ୍

Published By : Prameya-News7 Bureau | January 28, 2021 IST

କୋଲକାତା ୨୮/୦୧ : ପଶ୍ଚିମବଙ୍ଗରେ ଚଳିତ ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରିସାରିଳେଣି ସମରସଜ୍ଜା । ତେବେ ବେଙ୍ଗଲ ନିର୍ବାଚନ ପୂର୍ବରୁ ମେଣ୍ଟ ଘୋଷଣା କରିଛି କଂଗ୍ରେସ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସହ ମିଶି ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛି କଂଗ୍ରେସ । ଏ ନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧିର ରଞ୍ଜନ ଚୌଧୁରୀ ।

ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସହ ହୋଇଥିବା ମେଣ୍ଟରେ ଏଯାଏଁ ପ୍ରାୟ ୧୯୩ ସିଟ୍‌ରେ ଆଶାୟୀ ପ୍ରାର୍ଥୀ ସ୍ଥିର କରାଯାଇଛି । ପ୍ରାର୍ଥୀ ସ୍ଥିର କରାଯାଇଥିବା ମୋଟ ୧୯୩ ଆସନରୁ ୯୨ଟିରେ କଂଗ୍ରେସ ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଏମ୍) ୧୦୧ଟି ସିଟ୍‌ରେ ପ୍ରାର୍ଥୀ ଦେବେ । ସେ କହିଛନ୍ତି, ପଶ୍ଚିମବଙ୍ଗର ମୋଟ ୨୯୪ଟି ସିଟ୍‌ ମଧ୍ୟରୁ ୧୯୩ ସିଟ୍‌ରେ କଂଗ୍ରେସ ପ୍ରାର୍ଥୀ ଦେବ ଏବଂ ବାକି ୧୦୧ ସିଟ୍‌ରେ ସିପିଆଇ ଏବଂ ମେଣ୍ଟରେ ଥିବା ଅନ୍ୟ ଦଳମାନେ ପ୍ରାର୍ଥୀ ଦେବେ । କାହାକୁ କେତେ ସିଟ୍‌ ମିଳିବ ତାହା ସ୍ପଷ୍ଟ ହୋଇସାରିଛି ବୋଲି ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ।

ସୂଚନା ଅନୁସାରେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମିଶି କମ୍ୟୁନିଷ୍ଟ୍‌ ପାର୍ଟିମାନେ ୩୩ଟି ସିଟ୍‌ ହାତେଇଥିଲେ । ତେବେ ଏଥର ମଧ୍ୟ ତାହା ପୁଣି ଥରେ ଦୋହରିବ ବୋଲି ଣୁଣିବାକୁ ମିଳୁଛି । ଏହା ସହ ଗଣତନ୍ତ୍ର ଦିବସରେ ଚାଷୀମାନଙ୍କ ଟ୍ରାକ୍ଟର ରାଲିରେ ହୋଇଥିବା ତୁମୁଳ କାଣ୍ଡ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧିର ରଞ୍ଜନ ଚୌଧୁରୀ ।

 ଅଧିର ରଞ୍ଜନ କହିଛନ୍ତି ଦେଶର ଇଣ୍ଟେଲିଜେନ୍ସ ଏଜେନ୍ସି ବିଫଳ । ସରକାର ଜାଣିଶୁଣି ଏପରି କରିଛନ୍ତି । ଦିଲ୍ଲୀରେ ଯାହା କିଛି ବି ହୋଇଛି ସେସବୁ ସରକାରଙ୍କ ଜାଣତରେ ହୋଇଥିବା ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ସରକାର ବିରୁଦ୍ଧରେ ଯେଉଁମାନେ ବି ସ୍ବର ଉତ୍ତୋଳନ କରୁଛନ୍ତି, ସେ ସମସ୍ତଙ୍କୁ ପାକିସ୍ତାନୀ ଆତଙ୍କବାଦୀ, ଖଲିସ୍ତାନୀ ଏବଂ ଦେଶଦ୍ରୋହୀର ଆଖ୍ୟା ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.