ବିରୋଧୀଙ୍କ ବିଦ୍ୟୁତ୍ ଗର୍ଜନ : ଲୋକଙ୍କ କରେଣ୍ଟ କାଟିଲେ ବିରୋଧ କରିବ କଂଗ୍ରେସ, ବିଜେପି କହିଲା ଟାଟା ପାଇଁ ଚାଲ୍

Published By : Prameya-News7 Bureau | January 10, 2020 IST

ଭୁବନେଶ୍ବର ୧୦।୧: ବିଜୁଳି କାଟିଲେ ହେବ ବିରୋଧ । ଗାଁରୁ ବିଜୁଳି କାଟିଲେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଶିଳ୍ପପତିଙ୍କ ପାଖରେ ଶହ ଶହ ଟଙ୍କାର ବିଜୁଳି ବିଲ୍ ପଡିଛି । ମୁଣ୍ଡ ଉପରେ ପିଲାଙ୍କ ମାଟ୍ରିକ୍ ପରୀକ୍ଷା । ଗରିବ ଲୋକଙ୍କ ଘରୁ ଲାଇନ୍ କଟାଗଲେ ବିରୋଧ କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତା ସୁର ରାଉରରାୟ ।

ଅନ୍ୟପଟେ ସରକାରଙ୍କ ବିଜୁଳି କାଟ୍ ନିଷ୍ପତ୍ତିକୁ ବିଜେପି ମଧ୍ୟ ବିରୋଧ କରିଛି । ଖାଉଟିମାନଙ୍କ ଉପରେ ବୋଝ ଲଦିବାକୁ ଚାହୁଁଛନ୍ତି ସରକାର । ସରକାର ଏଥିରୁ ନିବୃତ୍ତ ରୁହନ୍ତୁ ବୋଲି ବିଜେପି କହିଛି । ଟାଟା ବୋଧେ କହିଛି ବକେୟା ଅର୍ଥ ନଦେଲେ ସେସୁକୁ କିଣିବ ନାହିଁ ବୋଲି ବିଜେପି କହିଛି ।

ସୂଚନାଯୋଗ୍ୟ ଯେ, ବକେୟା ବିଦ୍ୟୁତ୍ ବିଲ୍ ନଦେଲେ ବିଦ୍ୟୁତ୍ କଟିବ ବୋଲି ପୂର୍ବରୁ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ୍ ଓଡ଼ିଶା (ସେସୁ) ପକ୍ଷରୁ ସତର୍କ କରାଯାଇଥିଲା । ଆସନ୍ତା ୧୫ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ୍ ନଦେଲେ, ତାପର ଦିନ ଅର୍ଥାତ୍ ୧୬ ତାରିଖରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ । ଅର୍ଥାତ୍ ଲାଇନ୍ କଟିବ । ସେସୁ ପକ୍ଷରୁ ସର୍ବସାଧାରଣ ନୋଟିସ୍ ପରେ ଏବେ ଆହୁରି କଠୋର ହୋଇଛି ବିଭାଗ । ଆସନ୍ତା ୧୬ ତାରିଖରୁ ଏକ ସ୍ପେଶାଲ ଡିସକନେକ୍ସନ ଡ୍ରାଇଭ କରିବ ସେସୁ ।

ଏହାସହ ବକେୟା ବିଲ୍ ଆଦାୟ ଲାଗି ବିଦ୍ୟୁତ୍ ଗ୍ରାହକଙ୍କୁ ମଧ୍ୟ କିଛି ସୁବିଧା ଦେବେ ସରକାର । ଗ୍ରାହକଙ୍କ କିସ୍ତିରେ ସେମାନଙ୍କ ବକେୟା ବିଲ୍ ବାବଦ ଅର୍ଥ ପୈଠ କରିପାରିବେ । ତେବେ କେବଳ ଘରୋଇ ଗ୍ରାହକ ନୁହନ୍ତି, ଶିଳ୍ପ ସଂସ୍ଥା, ଘରୋଇ ସଂସ୍ଥା ସହ ସରକାରୀ ସଂସ୍ଥା ଏବଂ କାର୍ଯ୍ୟାଳୟ ବି ବକେୟା ବିଦ୍ୟୁତ୍ ବିଲ୍ ଜନିତ ନିୟମରୁ ବାଦ୍ ପଡିବେ ନାହିଁ । ସେମାନେ ବିଦ୍ୟୁତ୍ ବିଲ୍ ପୈଠ ନକଲେ ସେମାନଙ୍କ ବିଦ୍ୟୁତ୍ ସଂଯୋଗ ମଧ୍ୟ କାଟି ଦିଆଯିବ ବୋଲି ସେସୁ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.