ପିଏମ କେୟାର୍ସ ଫଣ୍ଡରେ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ନେଇ ବିଜେପି-କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ

Published By : Prameya-News7 Bureau | August 18, 2020 IST

ନୂଆଦିଲ୍ଲୀ ୧୮।୦୮: ପିଏମ କେୟାର୍ସ ଫଣ୍ଡରେ ଜମା ଅର୍ଥ ରାଶିକୁ ଏନଡିଆରଏଫ କୋଷରେ ଜମା କରିବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ପିଏମ କେୟାର୍ସ ଫଣ୍ଡ ଚାରିଟି ପରି, ତେଣୁ ଏଥିରେ ଜମା ଅର୍ଥ ରାଶିକୁ ଏନଡିଆରଏଫ କୋଷରେ ଜମା କରିବାକୁ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ ବୋଲି ସୁପ୍ରିମକୋର୍ଟ ନିଜର ରାୟରେ କହିଛନ୍ତି।

ଅଶୋକ ଭୂଷନଙ୍କ ନେୃତ୍ଵତ୍ଵାଧୀନ ଖଣ୍ଡପୀଠ ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି କୌଣସି ବି ବ୍ୟକ୍ତି କିମ୍ବା ସଂସ୍ଥା ଏନଡିଆରଏଫରେ ଦାନ  କରି ପାରିବେ। ଅଦାଲତ କହିଛନ୍ତି କେନ୍ଦ୍ର ସରକାର ପିଏମ କେୟାର୍ସ ଫଣ୍ଡରେ ଜମା ରାଶିକୁ ଉଚିତ୍ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ପୂରା ସ୍ଵାଧୀନ। ଏନଡିଆରଏଫରେ ଯୋଗଦାନ ପାଇଁ କୌଣସି ବି ବ୍ୟକ୍ତି କିମ୍ବା କର୍ପୋରେଟ୍ ପାଇଁ କୌଣସି ବାଧା ନାହିଁ। ତେଣୁ ଅଦାଲତ କେନ୍ଦ୍ର ସରକାର ପିଏମ କେୟାର୍ସ ଫଣ୍ଡକୁ ଏନଡିଆରଏଫରେ ଜମା କରିବାକୁ ନିର୍ଦ୍ଦେଶ ଦେଇ ପାରିବ ନାହଁ।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍‌ ଯୁଦ୍ଧ ସୃଷ୍ଟି କରିଛି। କଂଗ୍ରେସ କହିଛି ପିଏମ କେୟାର୍ସ ଫଣ୍ଡକୁ ନେଇ କେନ୍ଦ୍ର ସରକାର ଜନତାଙ୍କ ନିକଟରେ ଉତ୍ତରଦାୟୀ। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ପିଏମ କେୟାର୍ସ ଫଣ୍ଡରେ ଅଧିକ ଟ୍ରାନ୍ସପରେନ୍ସି ଆଣିବା ପାଇଁ ସୁଯୋଗ ଦେଇଛନ୍ତି। ଅପାରଦର୍ଶୀ ଏବଂ ନକଲି ନିୟମରୁ ଭୁଲ ଅବଧାରଣା ହଟାଇବା ପାଇଁ ସୂର୍ଯ୍ୟର ପ୍ରକାଶ ସବୁଠୁ ଭଲ କୀଟାଣୁନାଶକ।

କଂଗ୍ରେସର ଏହି ମନ୍ତବ୍ୟ ଉପରେ କଡା ଟିପ୍ପଣୀ କରି ବିଜେପି ସଭାପତି ଜେପି ନଡ୍ଡା ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଉଲ୍ଲେଖ କରି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଆଦେଶ ମିଥ୍ୟା ଅପ୍ରଚାରକାରୀଙ୍କ ପାଇଁ ଉଚିତ୍ ଜବାବ। ଦେଶ ଭଲ ଭାବେ ଜାଣିଛି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗଠିତ ପିଏମ କେୟାର୍ସ ଫଣ୍ଡରେ କେତେ ପାରଦର୍ଶିତା ଅଛି। ବିରୋଧୀ କେବଳ ପ୍ରତି ପ୍ରସଙ୍ଗରେ ଗୁଜବ କରି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ବିନା  ତଥ୍ୟ ଏବଂ ଆଧାରରେ ଅଭିଯୋଗ କରିବା କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଦେହସୁହା ହୋଇଗଲାଣି। ସବୁ ଭଲ କାମରେ ସେମାନଙ୍କର ଖରାପ ନଜର ଆସୁଛି ବୋଲି ନଡ୍ଡା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.