କାଳିଆ କେଳେଙ୍କାରୀ : ବିଜେପି କହିଲା ଅଦାଲତକୁ ଯିବ, କଂଗ୍ରେସ ମାରିଲା ନିର୍ବାଚନୀ ତୀର

Published By : Prameya-News7 Bureau | September 19, 2019 IST

ଭୁବନେଶ୍ବର ୧୯|୯: କାଳିଆ ଯୋଜନା ଏକ ଧୂଆଁବାଣ ଯୋଜନା  । ନିର୍ବାଚନରେ ହରଡଘଣାରେ ପଡି କୃଷକମାନଙ୍କୁ ନିଜ ସପକ୍ଷରେ ନେବାପାଇଁ ଯୋଜନା ଘୋଷଣା କରିଦେଇଥିଲେ । ଆପାତକାଳୀନ ପାଣ୍ଠିରୁ ଟଙ୍କା ନେଇ ଲୋକଙ୍କୁ ଦେଲେ । କିନ୍ତୁ ପ୍ରକୃତରେ ଚାଷୀଙ୍କ ତାଲିକା ରାଜ୍ୟ ସରକାରଙ୍କ ପାଖରେ ନାହିଁ ।

ଏବେ ଯେଉଁ ଅଯୋଗ୍ୟ ହିତାଧିକାରୀ ତାଲିକା ଦେଉଛନ୍ତି ବାସ୍ତବରେ ଏହା ଢେର୍ ଅଧିକ  । କେବଳ ମଣ୍ଡିରେ ପଞ୍ଜୀକରଣ କରୁଥିବା ଦଶରୁ ବାର ହଜାର ଚାଷୀଙ୍କ ତାଲିକା ଅଛି । ଭାଗଚାଷୀ ଗଣନା କେବେ କରିନାହାନ୍ତି  । ତେଣୁ ପିଏମ୍ କିଷାନ ଯୋଜନା ପାଇଁ ମାତ୍ର ୧୨ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେଇପାରିଛନ୍ତି । ଯାହା ମଧ୍ୟରୁ ୩ଲକ୍ଷ ବିଭିନ୍ନ କାରଣରୁ ବାଦ୍ ପଡିଲେ ।

ତାଲିକା ନଥାଇ ଜନହିତକାରୀ କାର୍ଯ୍ୟକ୍ରମ ନାଁରେ ରାଜ୍ୟ ରାଜକୋଷରୁ ୧୭୦କୋଟି ଟଙ୍କା ଅପବ୍ୟୟ କରିଛନ୍ତି  । ତେଣୁ ବିଜେଡି ନେତାମାନେ ଭିନ୍ନ ଭିନ୍ନ କଥା କହୁଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ପାଖାପାଖି ୨୦ଲକ୍ଷ ବୋଲି ଅନୁମାନ କରାଯାଉଛି । ତୁରନ୍ତ ନିରପେକ୍ଷ ସଂସ୍ଥା ଦ୍ବାରା ତଦନ୍ତ କରାଯାଉ । ଚାଷୀଙ୍କୁ ଭୟଭୀତ ଓ ଅପମାନିତ କରାନଯାଉ ବୋଲି ବିଜେପି କହିଛି  ।

୧୭୦କୋଟି ଟଙ୍କା ଅପବ୍ୟୟ ପାଇଁ ଅଧିକାରୀଙ୍କ ଠାରୁ ଆରମ୍ଭ କରି କୃଷି ମନ୍ତ୍ରୀ ଅର୍ଥ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ । ଚାଷୀଙ୍କୁ ଧମକ ଦେଲେ ବିଜେପି ନ୍ୟାୟାଳୟକୁ ଯିବା ସହ ଦୁର୍ବାର ଆନ୍ଦୋଳନକୁ ଓହ୍ଲାଇବ ।ମିଛର ଆଵରଣ ନେଇ କାଳିଆ ଯୋଜନା ପ୍ରଣୟନର ପରିଣତି। ଚାଷୀ ଆଜି ଭୟଭୀତ ଓ ଅପମାନିତ। ଵିନା ହିତାଧିକାରୀ ତାଲିକାରେ ଅର୍ଥକୁ ଯାଚିକି ଦେଇଥିବା ଅଧିକାରୀ, କୃଷି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଏହାର ଉତ୍ତରଦାୟିତ୍ବ ଲଦାଯାଉ।

ତୃଟିପୂର୍ଣ୍ଣ ପରିଚାଳନା ଓ ତାଲିକା ପାଇଁ ୧୭୦ କୋଟି ଟଙ୍କାର ଅପଵ୍ୟୟର ଭାର ପାଇଁ ଏମାନେ ହିଁ ଦାୟୀ। ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ୧୨ ଲକ୍ଷ ଚାଷୀ ତାଲିକାରୁ ଏମିତି ଚଞ୍ଚକତା ପାଇଁ ୩ ଲକ୍ଷ କଟିଗଲେ। ଆବଶ୍ୟକ ପଡିଲେ  ବିଜେପି ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ ପଛାଇବନି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ।

କାଳିଆ ଯୋଜନା କେଳେଂକାରୀ ନେଇ ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କ କାଳିଆ ଯୋଜନାର ଉଦ୍ଦେଶ୍ୟ ପୂରଣ ହୋଇ ଯାଇଛି ।ଆମର ଧାରଣା ତିନି ଲକ୍ଷ ଏକଚାଳିଶ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତ ବୋଲି ସେ କହିଛନ୍ତି । ସବୁ ଭୁଲ କାମ କରିଥିବାରୁ ସରକାର ତଥ୍ୟ ଲୁଚାଇ ବେନି ତ ଆଉ କଣ କରିବ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ସରକାରଙ୍କ ସବୁ କାର୍ଯ୍ୟକ୍ରମ ନିର୍ବାଚନ ଓ ଭୋଟ ପାଇଁ ବୋଲି ମଧ୍ୟ ସେ ଆକ୍ଷେପ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.