ଗାନ୍ଧି-ଗଡସେ ଓ ଆରଏସଏସକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ ,ବିଧାନସଭାରେ କଳି ଦେଖୁଥିଲା ବିଜେଡି

Published By : Prameya-News7 Bureau | August 03, 2019 IST

ଭୁବନେଶ୍ବର୩|୮: ଗାନ୍ଧି, ଗଡସେକୁ ନେଇ ବିଜେପି କଂଗ୍ରେସ କଳି ତୁଟୁନି । ତିନିଦିନ ହେଲା ବିଧାନସଭାରେ କଂଗ୍ରେସ ବିଜେପି ସଦସ୍ୟମାନେ ମୁହାଁମୁହିଁ ହେଉଛନ୍ତି  । କେତେବେଳେ କଂଗ୍ରେସ ବିଜେପି କୋର୍ଟକୁ ବଲ୍ ପକାଉଛି ତ ଆଉ କେତେବେଳେ ବିଜେପି କଂଗ୍ରେସ କୋର୍ଟକୁ । ବାସ୍ ବିଜେଡି ମଜା ଦେଖୁଛି । କଂଗ୍ରେସ ନେତା ନରସିଂହ ମିଶ୍ର ଗାନ୍ଧି-ଗଡସେ ଓ ଆରଏସଏସ ଉପରେ ଟପ୍ପଣୀ ଦେଇ ହୁସକାଇ ଦେଉଛନ୍ତି । ବିଜେପି ସଦସ୍ୟମାନେ ଏହାର ପ୍ରତିବାଦ କରି କଂଗ୍ରେସ ଉପରେ ହମଲା କରୁଛନ୍ତି ।

ଗାନ୍ଧି, ଗଡସେଙ୍କୁ ନେଇ ବିଜେପି କଂଗ୍ରେସ କଳି ଆଜିର ନୁହେଁ । କିନ୍ତୁ ଏ କଳି ବିଧାନସଭାରୁ ଲୋକସଭା , କୋର୍ଟ କଚେରୀରୁ ରାଜରାସ୍ତା, ଟିଭି ଷ୍ଟୁଡିଓ ଡିବେଟରେ ସବୁବେଳେ ଥାଏ । ମୌକା ମିଳିଲେ ପରସ୍ପରକୁ ତେରଛା ବାଣ ମାରିବାକୁ ଏହି ଦୁଇଦଳ କେବେ ଭୁଲନ୍ତିନି । ଗତ ୩ ଦିନ ହେଲା ବିଧାନସଭାରେ ବି ଗାନ୍ଧି, ଗଡସେଙ୍କୁ ନେଇ କଂଗ୍ରେସ ଓ ବିଜେପି କଳି ଛିଣ୍ଡୁନି ।

ଆଜି ଶୂନ୍ୟକାଳରେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ପୁରୁଣା କଥା ଉଠାଇ ବିଜେପି ଆଡକୁ ନିଶାନା ସାଧିଛନ୍ତି । କହିଛନ୍ତି ନାଥୁରାମ ଗଡସେଙ୍କୁ କିଛି ନେତା ଦେଶଭକ୍ତ କହୁଛନ୍ତି । ହେଲେ କିଛି ଲୋକେ ଗଡସେଙ୍କ ମନ୍ଦିର ବି କରିଛନ୍ତି । ତେଣୁ ବିଜେପି ସଦସ୍ୟମାନେ ଗଡସେଙ୍କୁ ମୁର୍ଦ୍ଦାବାଦ୍ ବୋଲି କହିବେ କି । ଗତକାଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, କଂଗ୍ରେସରେ ଥିବା ମୁସଲମାନ ନେତାମାନେ ବନ୍ଦେମାତରଂ କହନ୍ତି ନାହିଁ । ତାର ଜବାବରେ ନରସିଂହ କହିଥିଲେ ମୁଁ କଂଗ୍ରେସ ତରଫରୁ କହୁଛି ବନ୍ଦେ ମାତରଂ ଓ ଭାରତ ମାତା କି ଜୟ । କିନ୍ତୁ ମୁଁ କହୁଛି ବୋଲି ଏକଥା ଆଉ କିଏ କହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ।

ତେବେ ବିଜେପି ସଦସ୍ୟମାନେ ନରସିଂହଙ୍କ ଏଭଳି ମନ୍ତବ୍ୟରେ ଚିହିଁକି ଉଠିଥିଲେ । କହିଥିଲେ ଅଯଥା ପ୍ରସଙ୍ଗ ଉଠାଇ ନରସିଂହ ସମୟ ନଷ୍ଟ କରୁଛନ୍ତି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ନରସିଂହଙ୍କୁ କାଉଣ୍ଟର କରିବାକୁ ଯାଇ କହିଥିଲେ ଖୋଦ୍ ଗାନ୍ଧିଜୀ ଆରଏସଏସ କ୍ୟାମ୍ପକୁ ଯାଇ ସମାଜରେ ସମାନତା କିଭଳି ହୁଏ ଦେଖି ଖୁସି ହୋଇଥିଲେ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ବି ଆରଏସଏସ ଅପିସକୁ ଯାଇ ସଂଘ କାର୍ଯ୍ୟ ସଂପର୍କରେ ଅବଗତ ହୋଇଥିଲେ । ହେଲେ କିଛି ରାଜନୈତିକ ଦଳ ପ୍ରଣବଦାଙ୍କ ଏଭଳି ନିଷ୍ପତ୍ତି ବିରୋଧ କରିଥିଲେ । କଂଗ୍ରେସ ନାଁ ନନେଇ ନରସିଂଙ୍କୁ ତେରଛା ବାଣ ମାରିଥିଲେ ବିଷ୍ଣୁ ।

ଗାନ୍ଧି-ଗଡସେ ଓ ଆରଏସଏସକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ ହେଉଥିବା ବେଳେ ବିଜେଡି ସଦସ୍ୟମାନେ କିନ୍ତୁ ଚୁପ୍ ଚାପ୍ ବସି ଦୁଇ ଦଳ ନେତାଙ୍କ କଳି ଶୁଣୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.