ଉତ୍ତର ପ୍ରଦେଶ ଓ ତାମିଲନାଡ଼ୁରେ ଛିଡ଼ିଲା ମେଣ୍ଟର ଭାଗବଣ୍ଟରା , ଦିଲ୍ଲୀରେ କଂଗ୍ରେସ୍ ଓ ଆପ୍ ଲଢ଼ିବେ ଅଲଗା ଅଲଗା

Published By : Prameya-News7 Bureau | March 05, 2019 IST

ନୂଆଦିଲ୍ଲୀ ୫/୩: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟରେ ସାମିଲ ହେଲା ଅଜିତ ସିଂଙ୍କ ରାଷ୍ଟ୍ରୀୟ ଲୋକଦଳ ବା RLD । ପୂର୍ବରୁ ବିଏସପି ୩୮ ଓ ଏସପି ୩୭ଟି ଆସନରେ ଲଢ଼ିବେ ବୋଲି ଘୋଷଣା କରିସାରିଥିବା ବେଳେ ଆଜି ବାକି ଥିବା ୫ଟି ସିଟ୍ ମଧ୍ୟରୁ ଆରଏଲଡି ତିନିଟି ଆସନରେ ଲଢ଼ିବ ବୋଲି ଘୋଷଣା ହୋଇଛି । ଯାହା ମଧ୍ୟରେ ରହିଛି ମଥୁରା, ବାଗପତ୍ ଓ ମୁଜାଫରନଗର ।ଖୋଲ୍ ଆରଏଲଡି ମୁଖ୍ୟ ଅଜିତ ସିଂ ବାଗପତ୍‌ରୁ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଥିବା ବେଳେ ତାଙ୍କ ପୁଅ ଜୟନ୍ତ ଚୌଧୁରୀ ମଥୁରାରୁ ନାମାଙ୍କନ ଭରିବେ । ତେବେ ପୂର୍ବ ଘୋଷଣା ମୁତାବକ  ଆମେଠି ଓ ରାୟବରେଲୀ  ଆସନକୁ କଂଗ୍ରେସ ପାଇଁ ଛାଡ଼ି ଦିଆଯାଇଛି ।

ତାମିଲନାଡ଼ୁରେ ଏନଡିଏ ପରେ ୟୁପିଏ ମେଣ୍ଟର ଗଣିତ ଛିଣ୍ଡିଛି । ତାମିଲାନାଡ଼ୁ ଓ ପୁଡୁଚେରୀରେ ଥିବା ୪୦ଟି ଆସନ ମଧ୍ୟରୁ ଡିଏମକେ ୨୦ଟି ଆସନରେ ଲଢ଼ିବାକୁ ନିଷ୍ପତ୍ତି ହୋଇଥିବା ବେଳେ କଂଗ୍ରେସ ୧୦ଟି ଆସନରୁ ପ୍ରାର୍ଥୀ ଦେବ । ସେହିପରି ସିପିଆଇ, ସିପିଆଇଏମ୍ ଓ ଭିସିକେ ଦୁଇଟି ଲେଖାଏଁ ଆସନ ଏବଂ MDMK, KDMK, IJK ଓ IUML ଗୋଟିଏ ଆସନରେ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର ହୋଇଛି ।

  ସେପଟେ ଦିଲ୍ଲୀରେ କିନ୍ତୁ ମେଣ୍ଟ ଫର୍ମୁଲା ଛିଣ୍ଡିନି । ପୂର୍ବରୁ ସରକାରରେ ଥିବା ଆମ୍ ଆଦମୀ ପାର୍ଟି ଅଲଗା ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିସାରିଥିବା ବେଳେ ଆଜି କଂଗ୍ରେସ ମଧ୍ୟ ସବୁ ଚର୍ଚ୍ଚା, ଆଲୋଚନା ଉପରୁ ଅଳନ୍ଧୁ ହଟାଇଛି । ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା ପରେ ଦଳ ଏକୁଟିଆ ହିଁ ମୈଦାନକୁ କୁଦିବ ବୋଲି ସ୍ପଷ୍ଟ କରିଛନ୍ତି ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶୀଲା ଦୀକ୍ଷିତ । ସେପଟେ ଶୀଲାଙ୍କ ଘୋଷଣା ପରେ ଟ୍ବିଟ୍ କରି ନିଶାନା ସାଧିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବିଜେପି ଓ କଂଗ୍ରେସ ମଧ୍ୟରେ ଅନୈତିକ ମେଣ୍ଟ ହୋଇଥିବା ବେଳେ ୧୯ ନିର୍ବାଚନରେ ଏହାର ଉଚିତ ଜବାବ ଦିଆଯିବ ବୋଲି କେଜ୍ରିୱାଲ ଟ୍ବିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.