ଆସାମ ଇତିହାସରେ ପ୍ରଥମ ଥର ଏକାଠି ହେବେ ୬ ରାଜନୈତିକ ଦଳ, ଶାସକ ଦଳକୁ ଦେବେ ଟକ୍କର

Published By : Prameya-News7 Bureau | January 20, 2021 IST

ଗୌହାଟି, ୨୦/୦୧: ଆସାମରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏବଂ ଅନ୍ୟ ପାଞ୍ଚଟି ବିରୋଧୀ ଦଳ ମିଶି ମେଣ୍ଟ ଗଠନ କରିବେ ବୋଲି ସୂଚନା ଦେଇଛନ୍ତି । ଏହି ଦଳ ଗୁଡ଼ିକ ମଧ୍ୟରେ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ବା ଏଆଇୟୁଡିଏଫ, ସିପିଆଇ, ସିପିଆଇ (ଏମ୍), ସିପିଆଇ (ଏମ୍ଏଲ୍), ଏବଂ ଆଞ୍ଚଳିକ ଗଣ ମୋର୍ଚ୍ଚା ସାମିଲ୍ ଅଛନ୍ତି । ଏହି ଦଳଗୁଡ଼ିକ ଏବେ ଶାସନ କରୁଥିବା ବିଜେପି ବିପକ୍ଷରେ ଏପ୍ରିଲ୍ ମାସରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ମେଣ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏବଂ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ଭୂପେଶ ବାଘେଲ୍‌ଙ୍କୁ ସହ ଅନ୍ୟ ପର୍ଯ୍ୟବେକ୍ଷକମାନେ ମିଶି ମେଣ୍ଟ ଗଠନ ନେଇ ମଙ୍ଗଳବାର ଘୋଷଣା କରିଛନ୍ତି । ଛତିଶଗଡ଼ରେ କଂଗ୍ରେସ ଦେଇଥିବା ଇସ୍ତାହାରରେ ୩୬ଟି ପ୍ରତିଶ୍ରୁତି ଦେଇଥିଲେ । ସେଥିମଧ୍ୟରୁ ୨୪ଟି ପୂରଣ ହୋଇଥିବା ବାଘେଲ୍ କହିଛନ୍ତି । ପୂର୍ବ ବର୍ଷ ଅକ୍ଟୋବର ମାସରେ ଜିଏସ୍‌ଟି କଲେକ୍ସନକୁ ନେଇ ଛତିଶଗଡ଼ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସେ କହିଛନ୍ତି ।

ତେବେ ଆସାମ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଏବଂ ରାଜ୍ୟସଭା ସଂସଦ ରିପୁନ ବୋରା ଏନେଇ କହିଛନ୍ତି ଯେ, ଏହି ୬ଟି ଦଳ ବିଜେପିକୁ ହଟାଇବା ପାଇଁ ଏକାଠି ନିର୍ବାଚନ ଲଢ଼ିବେ । ଏହି ଦିନଟି ଆସାମ ରାଜନୀତିରେ ଐତିହାସିକ ଦିନ । ପ୍ରଥମ ଥର ପାଇଁ ଆସାମରେ ୬ଟି ଦଳ ଏକାଠି ହୋଇ ଶାସକ ଦଳକୁ ଟକ୍କର ଦେବେ । ରାଜ୍ୟରେ ବିଜେପି ଖରାପ ରାଜନୀତି କରୁଛି, ଲୋକଙ୍କୁ ଭୟଭୀତ କରୁଛି, ଦଙ୍ଗା ସୃଷ୍ଟି କରି ଲୋକଙ୍କୁ ଭାଗ ଭାଗ କରୁଛି । ଏଥି ସହିତ ଦେଶର ଅର୍ଥନୀତିକୁ ବିଜେପି ଶେଷ ସ୍ତରକୁ ନେଇଯାଇଥିବା ରିପୁନ୍ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.