Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ଅଡିନାନ୍ସକୁ ନେଇ ତେଜିଲା ରାଜନୀତି : କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି, ବିଧାନସଭାରେ ପ୍ରସଙ୍ଗ ଉଠାଇବ କଂଗ୍ରେସ

16/09/2020 at 8:04 PM

ଭୁବନେଶ୍ୱର,୧୬ ।୦୯:  ଓଡିଶା ବିଶ୍ବବିଦ୍ୟାଳୟ ଅଧିନିୟମ ଅଡିନାନ୍ସକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନ ବାଜି  । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଚିଠି ଲେଖିବା ପରେ ଜୋର୍‌ ଧରିଛି ଚର୍ଚ୍ଚା । ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷପେ ଲୋଡିଥିବା ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି । ସେପଟେ କଂଗ୍ରେସ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବାକୁ ଚେତାବନୀ ଦେଇଥିବା ବେଳେ ଜବାବ ରଖିଛି ବିଜେଡି ।

ଓଡିଶା ବିଶ୍ବବିଦ୍ୟାଳୟ ଅଧିନିୟମ ଅଡିନାନ୍ସ ପ୍ରସଙ୍ଗକୁ ନେଇ ତେଜିଛି ରାଜନୀତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ଓଡିଶା ବିଶ୍ବବିଦ୍ୟାଳୟ ଅଧିନିୟମ ୧୯୮୯କୁ ବିଧାନସଭାରେ ବିନା ଆଲୋଚନାରେ ସରକାର  ବ୍ୟାପକ ପରିବର୍ତନକୁ ନେଇ ଶିକ୍ଷାବିତ୍‌, ଶିକ୍ଷକ ଓ ଛାତ୍ରମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପଖୋରାୟାଲ ନିଶଙ୍କଙ୍କୁ ଅବଗତ କରାଇବା ସହ ଏଥିରେ ହସ୍ତକ୍ଷେପ କରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟସରକାରଙ୍କ ଏପରି ନିଷ୍ପତ୍ତି ଯୋଗୁ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସ୍ବାୟତତ୍ତା କ୍ଷୁର୍ଣ୍ଣ ହେଉଛି ।  ସିଣ୍ଡିକେଟ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ହ୍ରାସ କରିଦିଆଯାଇଛି । ତେଣୁ ଏହା ଉପରେ ହସ୍ତକ୍ଷେପ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ଧର୍ମେନ୍ଦ୍ରଙ୍କ  ଚିଠି ପରେ ସରକାରଙ୍କୁ  ଟାର୍ଗେଟ କରିଛି ରାଜ୍ୟ ବିଜେପି । ଏ ପ୍ରସଙ୍ଗକୁ ବିଧାନସଭା ରେ ଉଠାଇବେ ବୋଲି ବିରୋଧୀ ଦଳ ନେତା କହିଛନ୍ତି । ସେପଟେ କଂଗ୍ରେସ ବି ସମାନ ଅଭିଯୋଗ ଆଣି କହିଛି ସଂଶୋଧିତ ଆଇନ ଲାଗୁ କରି ସରକାର ବିଶ୍ୱବିଦ୍ୟାଳୟକୁ ନିଜ ଅକ୍ତିଆରରେ ରଖିବା ପାଇଁ ଉଦ୍ୟମ କରିଛନ୍ତି । ଏହା ଦ୍ୱାରା କୌଣସି ଛତ୍ରଛତ୍ରୀଙ୍କର କିଛି ଲାଭ ହେବ ନାହିଁ । ପ୍ରସଙ୍ଗ ବିଧାନସଭାରେ ଉଠିବ ।

ବିଜେପି ଓ କଂଗ୍ରେସ ଆରୋପର ଜବାବ ରଖିଛି ବିଜେଡି ।  କହିଛି ଚିଠି ଲେଖିବାରେ କୌଣସି ଅସୁବିଧା ନାହିଁ । କେନ୍ଦ୍ରମନ୍ତ୍ରୀ ନିଜେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ଥିଲେ,  ସେତେବେଳେ ଶିକ୍ଷାର ମାନ କଣ ଥିଲା ଆଉ ଏବେ କଣ ଅଛି, ସେ ନିଜେ ପରଖନ୍ତୁ । ରାଜନୀତି ନୁହେଁ ଉନ୍ନତମାନର ଶିକ୍ଷା ପ୍ରଦାନ ପାଇଁ ଏହି ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି  ବିଜେଡି ନେତା ।

ଅଗଷ୍ଟ ୪ରେ ରାଜ୍ୟସରକାର ଓଡିଶା ବିଶ୍ବବିଦ୍ୟାଳୟ ଅଧିନିୟମ ଅଡିନାନ୍ସ କୁ ମଞ୍ଜୁରୀ ଦେଇଛନ୍ତି । ଏଥି ସହ ବିଶ୍ବବିଦ୍ୟାଳୟଗୁଡ଼ିକରେ ଖାଲି ପଡିଥିବା ପ୍ରଫେସର  ଓ ଅନ୍ୟ ପଦବୀ ପୁରଣ ଲାଗି ଓପିଏସସି କୁ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ  ଚିଠି ଲେଖିସାରିଛି ।ସେପଟେ  ଭସି ନିଯୁକ୍ତି ନେଇବି ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

   Related Posts