କୁକୁଡ଼ା ଫାର୍ମ ରାସ୍ତାକୁ ନେଇ ଗଣ୍ଡଗୋଳ ଓ ବୋମାମାଡ଼: ସ୍କର୍ପିଓରେ ଘଟଣାସ୍ଥଳରୁ ୪ ଦୁର୍ବୃତ୍ତ ଫେରାର, ୨ ଜଣଙ୍କୁ କାବୁ କଲେ ଗ୍ରାମବାସୀ

Published By : Prameya-News7 Bureau | May 27, 2021 IST

ଢେଙ୍କାନାଳ ୨୭/୫:  ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ କୋକେଇଦା ଗାଁରେ ଶ୍ରୀ ଜଗନ୍ନାଥ ଆଗ୍ରୋଭେଟ ନାମକ ଏକ କୁକୁଡ଼ା ଫାର୍ମ ମାଲିକଙ୍କ ପକ୍ଷରୁ ଜଙ୍ଗଲ ଜମି ଦଖଲକୁ ନେଇ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି କଟକ ନଖରା ଅଂଚଳର କିଛି ଯୁବକଙ୍କୁ ଦୁଇଟି ଗାଡ଼ିରେ ନେଇ କୁକୁଡ଼ା ଫାର୍ମ ମାଲିକ କୋକେଇଦା ଗ୍ରାମରେ ଆତଙ୍କ ସୃଷ୍ଟି କରିଛନ୍ତି ।  ଏହି ଯୁବକମାନେ ଗ୍ରାମବାସୀଙ୍କ ଉପରକୁ ବୋମା ମାଡ଼ କରିଥିବା ଜଣାପଡ଼ିଛି । ଫଳରେ ଅଜୟ ଦେହୁରୀ ନାମକ ଜଣେ ଯୁବକ ଆହତ ହୋଇଛନ୍ତି ।

ଗ୍ରାମବାସୀ ଏହି ଆକ୍ରମଣକାରୀ ଯୁବକମାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ଏହାକୁ ନେଇ କୋକେଇଦା ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।  ଆକ୍ରମଣକାରୀଙ୍କ ମଧ୍ୟରୁ ୪ ଜଣ ସ୍କର୍ପିଓରେ ଖସି ପଳାଇଥିବା ବେଳେ ଏକ ସ୍ୱିଫ୍ଟ କାରରେ ଆସିଥିବା ଦୁଇ ଜଣଙ୍କୁ ଗ୍ରାମବାସୀ କାବୁ କରିଛନ୍ତି ।  ଖବର ପାଇଁ ଘଟଣାସ୍ଥଳରେ ଗଁନ୍ଦିଆ ପୋଲିସ ପହଞ୍ଚି କାରକୁ ଜବତ କରିଥିବା ସହ କାବୁ ହୋଇଥିବା ଦୁଇ ଯୁବକଙ୍କୁ  ଅଟକ ରଖିଛି ।

ଏ ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି କୋକେଇଦା ଗ୍ରାମରେ କଟକ ନଖରା ଅଂଚଳର ଜଣେ ବ୍ୟକ୍ତି ଶ୍ରୀ ଜଗନ୍ନାଥ ଆଗ୍ରଭେଟ ନାମକ ଏକ କୁକୁଡ଼ା ଫାର୍ମ ତିଆରି କରିଥିବା ଜଣାପଡିଛି । ପୂର୍ବରୁ ସରକାରୀ ଜମିରେ ଗଛ ଲଗାଇ ସୃଷ୍ଟି କରିଥିବା ଜଙ୍ଗଲକୁ କାଟି ରାସ୍ତା ନେବାକୁ ଦାବି କରୁଥିଲା କୁକୁଡ଼ା ଫାର୍ମ ମାଲିକ। ତେବେ ଏହାକୁ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ବିରୋଧ କରି ଆସୁଥିଲେ । ଜଙ୍ଗଲ ଜମିକୁ ଜବର ଦଖଲ କରିବା ଉଦ୍ୟମ କରି ଗ୍ରାମବାସୀଙ୍କୁ ବିଭିନ୍ନ ସମୟରେ କୁକୁଡ଼ା ଫାର୍ମ ମାଲିକ ନାନା ଧମକ ଚମକ ଦେଇ ଆସୁଥିଲେ । ଏହା ସହ ଆଜି ଭଡ଼ାଟିଆ ଗୁଣ୍ଡାମାନଙ୍କୁ ଧରି କୁକୁଡ଼ା ଫାର୍ମ ମାଲିକ ଗାଁରେ ବୋମାମାଡ କରିବା ସହ ଗ୍ରାମବାସୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.