ରାବଣ ପୋଡି ଉତ୍ସବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ; ପ୍ରତିବାଦରେ ଆଜି ଏରସମା ବନ୍ଦ

Published By : Prameya-News7 Bureau | October 20, 2018 IST

ଜଗତସିଂହପୁର ୨୦|୧୦: ଜଗତସିଂହପୁର ଜିଲ୍ଲା ଏରସମାରେ ଆଜି ବନ୍ଦ ଡାକରା ଦିଆଯାଇଛି । ରାବଣ ପୋଡି ଉତ୍ସବକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀ ଭିତରେ ଛକାପଞ୍ଝା ପରେ ସ୍ଥାନୀୟ ଶହେ ଘରିଆ ଗାଁ ଲୋକ ଆଜି ବନ୍ଦ ଡାକରା ଦେଇଛନ୍ତି । ଗତ ୩ଦିନ ଧରି ଦାମ-ପ୍ରଶାନ୍ତ ଗୋଷ୍ଠୀ ମୁହାଁମୁହିଁ ଅବସ୍ଥାରେ ରହିଥିଲେ ମଧ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ତେବେ ଏହି ଘଟଣାକୁ ନେଇ ଏରସମାରେ ଚାପା ଉତ୍ତେଜନା ଲାଗି ରହିଛି । ରାବଣ ପୋଡିକୁ ସମ୍ପୂର୍ଣ୍ଣ ବାତିଲ କରିବା ପାଇଁ ଦାମଙ୍କୁ ସମର୍ଥନ କରୁଥିବା ଗୋଷ୍ଠୀ ପ୍ରଶାସନ ପାଖରେ ଦାବି କରିଛି ।  ଦୀର୍ଘ ୩୦ ବର୍ଷ ଧରି ଏରସମା ଆଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ରାବଣ ପୋଡି ଉତ୍ସବ ଚାଲୁଥିବା ବେଳେ ଚଳିତ ବର୍ଷ ଏହି ରାବଣ ପୋଡି ଉତ୍ସବ ଆୟୋଜନକୁ ନେଇ ଦାମ ଓ ପ୍ରଶାନ୍ତ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି । ଗତ ୧୫ ତାରିଖ ଦିନ ସେହି ପଡ଼ିଆରେ ଦାମ ସ୍ବାଭିମାନ ସମାବେଶ ଆୟୋଜନ କରିଥିବା ବେଳେ ସେଠାରେ ରାବଣ ପୋଡି ଉତ୍ସବ କରିବା ପାଇଁ ମଞ୍ଚ ଖୋଲି ନଥିଲେ । ମାତ୍ର ପ୍ରଶାସନ ତରଫରୁ ମଂଚକୁ ପୋଲିସ ଉପସ୍ଥିତିରେ ଭାଙ୍ଗି ଦିଆଯାଇଛି । ସେହି ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାବଣ ପୋଡି ନିମନ୍ତେ ପ୍ରଶାନ୍ତଙ୍କ ସମର୍ଥକ ୩ ଦିନିଆ ଅନୁମତି ନେଇ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାକୁ ନେଇ ଏରସମାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଘଟଣାକୁ ଦୃଷ୍ଟିରେ ରଖି ଏରସମା ବଜାରରେ ୫ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଜଗତସିଂପୁର ଏସପି କହିଛନ୍ତି ଶାନ୍ତି ଶୃଂଖଳାର ସହ ରାବଣ ପୋଡି କରାଯିବ । ସେପଟେ ଦାମ ରାଉତ କହିଛନ୍ତି ଏଣିକି କୌଣସି ଗାଁରେ ବିଧାୟକଙ୍କୁ ପୁରାଇଦେବେନି ଲୋକ । ଗାଁରେ ଆଉ ଦଳ ନାହିଁ, ସମସ୍ତେ ଏକ ହେଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.