କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍ରୁ ଠେଲିଦେଲେ କଣ୍ଡକ୍ଟର ! ଘଟଣାସ୍ଥଳରେ ଯାତ୍ରୀଙ୍କ ମୃତ୍ୟୁ
6/07/2020 at 3:40 PM

ମଥୁରା ୬।୭: କରୋନା ସନ୍ଦେହରେ ଚଳନ୍ତା ବସ୍ରୁ ଯାତ୍ରୀଙ୍କୁ ଠେଲିଦେଲେ କଣ୍ଡକ୍ଚର ! ଏଭଳି ଅଭାବନୀୟ ଘଟଣା ଘଟିଛି ମଥୁରା ଟୋଲପ୍ଲାଜା ନିକଟରେ। ଦିଲ୍ଲୀରୁ ଫେରୁଥିବା ଜଣେ ଯୁବତୀଙ୍କୁ କଣ୍ଡକ୍ଟର କରୋନା ସଂକ୍ରମିତ ସନ୍ଦେହରେ ଚଳନ୍ତା ବସ୍ରୁ ଠେଲିଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମଥୁରା ପୋଲିସ ଶବକୁ ଜବତ କରି ମାମଲାର ତଦନ୍ତ ଆରମ୍ଭ କରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯୁବତୀଙ୍କୁ କରୋନା ପରୀକ୍ଷଣ ଲାଗି ଡାକ୍ତର ଦିଲ୍ଲୀ ପଠାଇଥିଲେ। ମା ଓ ପରିବାର ଲୋକେ ତାଙ୍କୁ ଦିଲ୍ଲୀରେ କରୋନା ଟେଷ୍ଟ କରାଇ ଫେରୁଥିବା ବେଳେ ବସ୍ର କଣ୍ଟକ୍ଟର ଓ ଡ୍ରାଇଭର ତାଙ୍କୁ ବସ୍ରୁ ଓହ୍ଲାଇବାକୁ କହିଥିଲେ। ତେବେ ସେ କରୋନା ସଂକ୍ରମିତ ନୁହେଁ ବୋଲି ଯୁବତୀଙ୍କ ମା କହୁଥିଲେ ବି କଣ୍ଡକ୍ଟର ତାଙ୍କୁ ସିଟ୍ରୁ ଘୋଷାରି ଘୋଷାରି ନେଇ ଚଳନ୍ତା ବସ୍ରୁ ଧକ୍କା ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ଯୁବତୀଙ୍କ ମାଙ୍କ କହିବା ଅନୁସାରେ ସେ କିଡନୀ ଷ୍ଟୋନରେ ଆକ୍ରାନ୍ତ ଥିଲେ। ଏଣୁ ଡାକ୍ତର ତାଙ୍କର କୋଭିଡ-୧୯ ଟେଷ୍ଟିଂ ଲାଗି ସୁପାରିସ କରିଥିବା ବେଳେ ସେମାନେ ନେଗେଟିଭ ରିପୋର୍ଟ ଧରି ଫେରୁଥିଲେ। ହେଲେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ପ୍ରଥମେ ସେମାନଙ୍କୁ ବସ୍ରେ ଉଠାଇଥିଲେ ତେବେ ରାସ୍ତାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରୁ କରୋନା ସନ୍ଦେହ କରି ଏପରି କାଣ୍ଡ କରିଥିବା ଯୁବତୀଙ୍କ ମା ଅଭିଯୋଗ କରିଛନ୍ତି । ମଥୁରା ପୋଲି ମାମଲାର ତଦନ୍ତ ଜାରି ରଖିଛି।