ଯାତ୍ରାରେ ଅଶ୍ଳୀଳତାକୁ ନେଇ ଆରମ୍ଭ ହେଲା ବିରୋଧ, ସେନସର ପାଇଁ ହେଲା ଦାବି
24/02/2019 at 6:29 PM

ଭୁବନେଶ୍ବର ୨୪|୨: ଜଲିଉଡ଼ର ଆକର୍ଷଣ କଣ, ଯେଉଁଥିପାଇଁ ଶହ ଶହ ଲୋକ ରାତି ଅନିଦ୍ରା ହେଉଛନ୍ତି – ହସକାନ୍ଦ ଭରା ନାଟକ, ଚମତ୍କାର ଅଭିନୟ, ନା ଯାତ୍ରା ପୂର୍ବରୁ ଆରମ୍ଭ ହେଉଥିବା ରେକର୍ଡ ଡ୍ୟାନ୍ସ । ଏହି ସମୟରେ ଯାତ୍ରାରେ ଏବେ ଉଙ୍କିମାରିଥିବା ମାତ୍ରାଧିକ ଅଶ୍ଳିଳତାକୁ ନେଇ ଉଠିଛି ବିବାଦ। କିଛି କଳାକାର ଖୋଲାଖୋଲି ଭାବେ ଏହାକୁ ବିରୋଧ କରିଛନ୍ତି।

ଯାତ୍ରାର ଜଲୱାରେ ଏବେ ମାତ୍ରାଧିକ ଅଶ୍ଳିଳତା । ଆଖି ଝଲସିଆ ଲାଇଟରେ ଆଖି ବନ୍ଦ ହେଇଗଲା ଭଳି ଅଶ୍ଳିଳତା । ଯାତ୍ରା ବେପାରର ଏହା ଏବେ ପ୍ରମୁଖ ମାଧ୍ୟମ ହୋଇଛି। କେଉଁଠି ବିଦେଶୀ କଳାକାର ଏହି ଅଶ୍ଳିଳତାର ଆମ୍ବାସଡର ହୋଇଥିବା ବେଳେ ଆଉ କେଉଁଠି ବାହାର ରାଜ୍ୟର ଆଇଟମ ଡ୍ୟାନସର ଏଥିରେ ସାମିଲ ହୋଇଛନ୍ତି । ତେବେ ଯାତ୍ରାରେ ଖାସ୍ ଏହି ଅଶ୍ଳିଳ ଡ୍ୟାନ୍ସ ଦେଖିବାକୁ ଭିଡ଼ ହେଉଥିବା ଯାତ୍ରାପାର୍ଟି ମାଲିକମାନେ ଅନୁଭବ କରୁଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା ଆସିଛି। ଏପରିକି ଫିଲ୍ମରେ ଯେମିତି ସେନ୍ସର ବୋର୍ଡ ଅଛି ସେମିତି ସେନ୍ସର ବୋର୍ଡ ରହିବାକୁ ମତ ପ୍ରକାଶ ପାଇଛି।

ଏହି ଆଇଟମ ଡ୍ୟାନ୍ସ ପାଇଁ ନାଟକ ଏବେ ମାଡ଼ ଖାଇଲାଣି। କିଛି ପ୍ରମୁଖ କଳାକାର ଏବେ ନିଜକୁ କଣଠେସା ମନେ କଲେଣି। ଏପରିକି ଆଇଟମ ଡ୍ୟାନ୍ସର ମୋଟା ଅଙ୍କରେ ଟଙ୍କା ନେଇଯାଉଥିବା ବେଳେ ସେମାନଙ୍କୁ କେହି ପଚାରୁନଥିବା ଅନୁଭବ କଲେଣି କଳାକାରମାନେ। ଏପରିକି ଯାତ୍ରାରେ ଆଇଟମ ଡ୍ୟାନ୍ସ କରୁଥିବା ରାନୀଙ୍କ ବିରୋଧରେ ଏହି ଅଭିନେତା ଅଭିନେତ୍ରୀମାନେ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି।

ଅଶ୍ଳିଳତା ନା କଳା । କଳାକୁ ପ୍ରୋଟେକ୍ସନ ନା ପ୍ରଫେସନାଲ ଜେଲସି। ଏମିତି କିଛି ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସୁଛି। ଯଦି ଫିଲ୍ମ ଦୁନିଆ ସନି ଲୋଓନିଙ୍କୁ ଆପଣାଇ ପାରୁଛି ତେବେ ଯାତ୍ରାରେ ନୃତ୍ୟକୁ କାହିଁକି ବିରୋଧ ବୋଲି ପ୍ରଶ୍ନ କରିଛନ୍ତି ଆଇଟମ ଡ୍ୟାନସର ରାନି।

ନ୍ୟୁଜ ସେଭେନ ଷ୍ଟୁଡିଓ ବିତର୍କରେ ଏମାନେ ଭାଗ ନେଇ ନିଜ ନିଜ ମତ ରଖିଥିବା ବେଳେ ଏନେଇ ଏମାନେ ଆଗାମି ଦିନରେ ପେଣ୍ଡାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ରାନିକୁ ପେଣ୍ଡାଲକୁ ଉଠାଇଦେବେନି ବୋଲି କିଛି ଗୋଷ୍ଠୀ ଧମକ ଦେଇଛନ୍ତି ସେପଟେ ରାନୀ କହିଛନ୍ତି ବାଟ ଓଗାଳିକି ଦେଖ।