ପୁଣି ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୪ଜଣ ଇଂଜିନିୟର ଓ ୨ଜଣ ଥିଲେ ଅବକାରୀ ବିଭାଗ ଅଫିସର
30/12/2020 at 2:53 PM

ଭୁବନେଶ୍ବର ୩୦।୧୨: ଦୁର୍ନୀତି ଓ ଅପାରଗତା ଯୋଗୁଁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ରାଜ୍ୟ ସରକାର ଏହି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଏହି ଅଧିକାରୀଙ୍କ ମଧ୍ୟରୁ ୪ ଜଣ ଇଂଜିନିୟର ଥିବାବେଳେ ୨ ଜଣ ଅବକାରୀ ବିଭାଗର ଅଧିକାରୀ ।
ସାଧାରଣ ଜୀବନରେ ସାଧୁତା ଓ ନୈତିକତା ଉପରେ ଗୁରୁତ୍ବ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ଓ ଅପାରଗତା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଛନ୍ତି । । ଏହି ପରିପ୍ରେକ୍ଷୀରେ ଏହି ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
୬ ଅଧିକାରୀ ହେଲେ କେନ୍ଦୁଝର ଆରଡବ୍ଲୁଡିର ଡେପୁଟି ଏକ୍ସିକ୍ୟୁଟିଭ ଇଞ୍ଜିନିୟର ଅଜିତ କୁମାର ଦେବତାଙ୍କ ନାଁରେ ଦୁଇଟି ଭିଜିଲାନ୍ସ ମାମଲା ରହିଛି । ଏକ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ରହିଛି । କଟକ R&B ଡିଭିଜନର କ୍ବାଲିଟି କଣ୍ଟ୍ରୋଲ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଜିତେନ୍ଦ୍ର କୁମାର ଦଳାଇଙ୍କ ନାଁରେ ଦୁଇଟି ଭିଜିଲାନ୍ସ ମାମଲା ରହିଛି । ସେହିପରି ମୟୁରଭଞ୍ଜ କରଞ୍ଜିଆର ରୁରାଲ ଓ୍ବାର୍କସ, ସେକ୍ସନ-Iର ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଜୟ ପରିଡା ତିନୋଟି ଭିଜିଲାନ୍ସ ମାମଲା ରହିଛି ।
ଭୁବନେଶ୍ବର R&B ଡିଭିଜନ-IIର ଆସିଷ୍ଟାଣ୍ଟ ଇଞ୍ଜିନିୟର ଗଣେଶ୍ବର ସେଠୀଙ୍କ ବିରୁଦ୍ଧରେ ଅଶୋଭନୀୟ ବ୍ୟବହାର ତଥା କର୍ତ୍ତବ୍ୟରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ସମ୍ବଲପୁର ଓଡିଶା ପାନୀୟ ନିଗମ ଡିପୋର ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟରତ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ଏକ୍ସାଇଜ ଜୟଦୀପ ପଟ୍ଟନାୟକଙ୍କ ବିରୋଧରେ ଦାୟିତ୍ବରେ ଅବହେଳା ଅଭିଯୋଗ ରହିଛି । ସୁନ୍ଦରଗଡର ଅବକାରୀ ନୀରିକ୍ଷକ ରିହାଜ ଅହମ୍ମଦ ବେଗ୍ ପାଞ୍ଚ ଥର ନିଲମ୍ବିତ ହୋଇଛନ୍ତି ।