ବେକାବୁ କରୋନା : ଏହି ସହରରେ ଏପ୍ରିଲ ୬ ରୁ ୧୪ ଯାଏଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା, ଜରୁରୀ ସେବାକୁ ଅନୁମତି

Published By : Prameya-News7 Bureau | April 02, 2021 IST

ଦୁର୍ଗ ୦୨/୦୪ : ଦେଶରେ କରୋନା ଭାଇରସ୍‌ ହଠାତ୍‌ ବିସ୍ଫୋରଣ ହୋଇଛି । ମାତ୍ର ଦିନ କେଇଟା ମଧ୍ୟରେ ପୁଣିଥରେ ସଂକ୍ରମଣ ଆକାଶ ଛୁଆଁ ହେଲାଣି । ସେହିଭଳି ଛତିଶଗଡର ଦୁର୍ଗ୍‌ରେ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦୁର୍ଗ୍‌ରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏ ନେଇ ଦୁର୍ଗ୍‌ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଦୁର୍ଗ୍‌ରେ ଏପ୍ରିଲ ୬ ତାରିଖରୁ ୧୪ ତାରିଖ ଯାଏଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁକରାଯାଇଛି । ଲକ୍‌ଡାଉନ୍‌ ମଧ୍ୟରେ କେବଳ ଜରୁରୀ ସେବାଗୁଡିକୁ ଛାଡି ବାକି ସମସ୍ତ ସେବା ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି । ଏହା ଛଡା ଜଗଦଲପୁର ରମେୟାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ଦୁର୍ଗ୍‌ରେ ଗୁରୁବାର ଦିନ ୯୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଛତିଶଗଡ ରାଜଧାନୀ ରାୟପୁରରେ ମଧ୍ୟ ୧୩୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁର୍ଗ୍‌ରେ ମୋଟ ୪୦,୦୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୧୪ ଜଣଙ୍କ ମୃତ୍ୟ ହୋଇସାରିଲାଣି ।

ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ କଠୋର ପଦକ୍ଷେପ ନିଆଯାଇଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧ହଜାର ୪୬୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୬୯ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବ ଦିନ ତୁଳନାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟାକ ୪୬୯ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୦୩ ହଜାର ୧୩୧ରେ ପହଞ୍ଚିଛି।

ଏତତ୍ ବ୍ୟତୀତ  ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୧୫ ଲକ୍ଷ ୨୫ ହଜାର ୦୩୯କୁ ଅଧିକ ହୋଇଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୧୪୬୯୬ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୬୮୭୮୯୧୩୮ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.