ଆଜି ରାତିରୁ ଆସନ୍ତା ସୋମବାର ଯାଏଁ ରାଜଧାନୀରେ ସମ୍ପୂର୍ଣ୍ଣ କର୍ଫ୍ୟୁ

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ ୧୯/୦୪ : ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଚିନ୍ତା ବଢ଼ାଇଛି। ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଦେଖି ଦିଲ୍ଲୀ ସରକାର ସୋମବାର ରାତିରୁ ଆସନ୍ତା ସୋମବାର ଯାଏଁ ସମ୍ପୂର୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି। ରବିବାର ଦିନ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୨୫ ହଜାର ୪୬୨ ନୂଆ ମାମଲା ସାମ୍ନାକୁ ଆସିଥିଲା। ଏହାସହ ପଜିଟିଭ୍ ହାର ୩୦ ପ୍ରତିଶତରେ ପହଞ୍ଚିଛି। ସଂକ୍ରମଣ ହାର ୨୯.୭୪ ପ୍ରତିଶତ ହେବା ଅର୍ଥାତ ଦିଲ୍ଲୀରେ ପ୍ରତି ୩ଜଣଙ୍କ ମଧ୍ୟରେ ଜଣେ ସଂକ୍ରମିତ।

ଦିଲ୍ଲୀରେ ଏହା ପୂର୍ବରୁ ସପ୍ତାହନ୍ତ କର୍ଫ୍ୟୁ ଘୋଷଣା ହୋଇଥିଲା। କିନ୍ତୁ ଲଗାତାର ମାମଲା ବୃଦ୍ଧି ପାଉଥିବାରୁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ସହରରେ ୧୦୦ ରୁ କମ ଆଇସିୟୁ ବେଡ଼ ଅଛି। ରବିବାର ଦିନ ସେ କହିଥିଲେ ଯେ ସହରରେ ଆଗାମୀ ଦୁଇ ଦିନରେ ୧୪୦୦ ରୁ ୪ ହଜାର ବେଡ୍ ପ୍ରସ୍ତୁତ ହୋଇଯିବ। ଯମୁନା କ୍ରୀଡା ସ୍ଥଳ ଓ ରାଷ୍ଟ୍ରମଣ୍ଡଳ ଖେଳଗାଓଁ ଗସ୍ତ କରି ସେଠାରେ କୋଭିଡ କେୟାର୍ ସେଣ୍ଟର୍ ପ୍ରସ୍ତୁତ କରିବାକୁ ସମୀକ୍ଷା କରିଥିଲେ।

ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ସଂକ୍ରମଣରେ ୧୬୧ ଜଣଙ୍କ ମୃତ୍ୟୁ ହୋଇଛି। ଏହାର ଦିନେ ପୂର୍ବରୁ ୨୪ ହଜାର ୩୭୫ ନୂଆ ମାମଲା ସାମ୍ନାକୁ ଆସିଥିଲା ଓ ୧୬୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୩ ହଜାର ୪୬୦ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ୧୨ ହଜାର ୧୨୧ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.