ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଦଳୀୟ ମନ୍ତ୍ରୀ, ରାଜ୍ୟପାଳଙ୍କୁ ଲେଖିଲେ ଚିଠି

Published By : Prameya-News7 Bureau | April 03, 2021 IST

ବେଙ୍ଗାଲୁରୁ, ୦୨/୦୪: ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଖୋଦ ନିଜ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀ ଏସ୍‌ ଇଶ୍ୱରପ୍ପା । ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା କରୁଥିବା କାର୍ଯ୍ୟରେ ସେ ଅସନ୍ତୁଷ୍ଟ ହୋଇ ରାଜ୍ୟପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ।

କର୍ଣ୍ଣାଟକର ଗ୍ରାମୀଣ ବିକାଶ ମନ୍ତ୍ରୀ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ତଥା ବିଜେପି ନେତା ଇଶ୍ୱରପ୍ପାଙ୍କ ମନ୍ତ୍ରଣାଳୟରେ ବିନା ପରାମର୍ଶରେ ୟେଦୁରପ୍ପା ହସ୍ତକ୍ଷେପ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଇଶ୍ୱରପ୍ପା କହିଛନ୍ତି ଯେ, କିଛି ବିଧାୟକଙ୍କ ନିର୍ବାଚନ ମଣ୍ଡଳୀରେ ରାସ୍ତା କାମ କରିବା ପାଇଁ କୋଟି କୋଟି ଟଙ୍କାର କାର୍ଯ୍ୟ ନିର୍ଦ୍ଦେଶ ଜାରି କରିବା ବେଳେ ତାଙ୍କୁ ଅବହେଳା କରାଯାଇଛି । ସେ ଏନେଇ ମାର୍ଚ୍ଚ ମାସ ୩୧ ତାରିଖରେ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଚିଠି ଲେଖିଥିଲେ । ଏଥିରେ ସେ ମୁଖ୍ୟମନ୍ତ୍ରୀ କିଛି ବିଭାଗ ଏବଂ ମନ୍ତ୍ରଣାଳୟର କାମକାର୍ଯ୍ୟରେ ପ୍ରତ୍ୟେକ୍ଷ ଭାବେ ହସ୍ତକ୍ଷେପ କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ । ଏହାର ଅନେକ ଉଦାହରଣ ରହିଛି । କର୍ଣ୍ଣାଟକ ଅଧିନିୟମ, ୧୯୭୭କୁ ଏହା ଉଲଙ୍ଘନ କରୁଥିବା ସେ ଲିଖିତ ଜଣାଇଛନ୍ତି ।

ଉଦାହରଣ ସ୍ୱରୂପ, ବେଙ୍ଗାଲୁରୁ ସହରାଞ୍ଚଳ ଜିଲ୍ଲା ପଞ୍ଚାୟତ ପାଇଁ ୬୫ କୋଟି ଟଙ୍କା ଆବଣ୍ଟନ ୟେଦୁରପ୍ପାଙ୍କ ସମ୍ପର୍କୀୟ ଜି ମାରିସ୍ୱାମୀଙ୍କ ନେତୃତ୍ୱରେ ଦିଆଯାଇଛି । ଇଶ୍ୱରପ୍ପା ଲେଖିଛନ୍ତି ଯେ ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କୁ ଅଣଦେଖା କରି ମୁଖ୍ୟମନ୍ତ୍ରୀ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଯଦି ଏହି ଧାରାକୁ ଅବ୍ୟାହତ ରଖି କୌଣସି ମନ୍ତ୍ରୀଙ୍କୁ ଅବହେଳା କରାଯାଏ ଏବଂ ଆଇନ ଉଲ୍ଲଂଘନ କରାଯାଏ, ତେବେ ସେ ଉକ୍ତ ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀ ଭାବରେ କେଉଁଠାରେ ଠିଆ ହେବେ ତାହା ନିଜେ ଜାଣନ୍ତି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.