କଏଦୀ ଫେରାର ହେବା ପରେ ଜେଲରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | June 20, 2019 IST

ମୟୁରଭଞ୍ଜ ୨୦/୬: କରଞ୍ଜିଆ ଜେଲରୁ କଏଦୀ ଫେରାର ପାଇଁ କିଏ ଦାୟୀ ?  ଜେଲର ନା ଜେଲ୍‌ ର କର୍ମଚାରୀ ?  ଗତ ୧୬ ତାରିଖରେ କରଞ୍ଜିଆ ଉପକାରାଗାରରୁ ଭାଗବାନ ଟୁଡୁ ନାମକ ଜଣେ କଏଦୀ ଫେରାର ହେବା ପରେ ଜେଲରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଜେଲ କର୍ମଚାରୀ ସୁକାନ୍ତ ବେହେରାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ କଏଦୀ ଭଗବାନ ଟୁଡୁକୁ ଜେଲର ଲକ୍ଷ୍ମୀଧର ଟୁଡୁ ତାଙ୍କ ସରକାରୀ ବାସଭବନରେ ନିଜସ୍ବ କାମରେ ଲଗାଉଥିଲେ । ସେହିଠାରୁ ହିଁ ଫେରାର ହୋଇଯାଇଛି ଭଗବାନ ଟୁଡୁ ।ତେବେ ଭଗବାନ ଟୁଡୁ ଫେରାର ହେବା ପରେ ଏଥିପାଇଁ ଜେଲ କର୍ମଚାରୀ ସୁକାନ୍ତ ବେହେରାଙ୍କ ଉପରେ ପାଲଟା ଦୋଷ ଲଦୁଛନ୍ତି ଜେଲର । ଯେଉଁଥିପାଇଁ ସୁକାନ୍ତ ମାନସିକ ଭାରସାମ୍ୟ ହରାଇ ୩ଦିନ ହେବ ଘରୁ କେଉଁଆଡେ ଚାଲିଯାଇଛନ୍ତି ବୋଲି କରଞ୍ଜିଆ ଥାନାରେ ଜେଲରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ସୁକାନ୍ତଙ୍କ ପରିବାର ଲୋକେ ।

ଆଉ ଏ ହେଉଛି ନ୍ୟୁଜ୍‌ ସେଭେନ୍‌ ହାତରେ ଲାଗିଥିବା କରଞ୍ଜିଆ ଜେଲ୍ର ଏକ୍ସକ୍ଲୁସିଭ୍ ଭିଜୁଆଲ୍‌ । ଯେଉଁଠି ଜେଲ ପରିସରରେ ଚାଲିଛି ମଦ ମାଂସ ଭୋଜି । ଏହି ଭୋଜିରେ ସାମିଲ ହୋଇଛନ୍ତି ଜେଲର ବଡ ବାବୁମାନଙ୍କ ସହ ବିଚାରଧୀନ ବନ୍ଦୀ । ଅଫିସରଙ୍କ ସହ ଜେଲର କଏଦୀ ମଧ୍ୟ ସିଗାରେଟ ଟାଣୁଛନ୍ତି । ଆଉ ଅଫିସର କଏଦୀଙ୍କୁ ମୋବାଇଲ ଦେଉଥିବା ଦେଖିବାକୁ ମିଳୁଛି । ଏପରିକି ଜେଲର ଦୁଇଟି ଯାକ ଗେଟ୍‌ ଖୋଲା ଥିବା ଭିଜୁଆଲ୍‌ରେ ସ୍ପଷ୍ଟ ଜଣାପଡୁଛି । ଜେଲ ମାନୁଆଲକୁ ଖୁଲମଖୁଲା ଉଲ୍ଲଂଘନ କରାଯାଇଛି । କେବଳ ସେତିକି ନୁହେଁ ବିଚାରଧୀନ ବନ୍ଦୀ ଓ କଏଦୀ ମାନଙ୍କୁ ନିଜ ଚାକର ଭଳି ଜେଲ କର୍ମଚାରୀମାନେ ଖଟାଉଥିବା ବି ଅଭିଯୋଗ ଆସିଛି ।

ମାଓ ଅଧ୍ୟୁଷିତ ଅଞ୍ଚଳରେ ରାତି ହେଲେ ଜେଲ ଗୁଡିକ ସଂପୂର୍ଣ୍ଣ ବନ୍ଦ ରହିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା କଥା । ଆଉ ଯେଉଁଠି ରାତିରେ ଖୁଲମଖୁଲା ଭୋଜିର ଆସର ଚାଲୁଛି ସେଠି ଜେଲ୍‌ କେତେ ସୁରକ୍ଷିତ ଥିବ ତାହା ସ୍ପଷ୍ଟ ଅନୁମାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.