ଟୋକିଓ ଅଲିମ୍ପିକ ୨୦୨୦: ବିଜୟରୁ ଅଭିଯାନ ଆରମ୍ଭ କଲେ ଜାପାନ ଓ ଆମେରିକା

Published By : Prameya-News7 Bureau | July 21, 2021 IST

ଟୋକିଓ ୨୧।୦୭: ଗୋଟିଏ ବର୍ଷ ବିଳମ୍ବ ପରେ ଆରମ୍ଭ ହେଲା ଟୋକିଓ ଅଲିମ୍ପିକ। ଆୟୋଜକ ଜାପାନ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ବୁଧବାର ସଫ୍ଟବଲ୍‌ ପ୍ରତିଯୋଗିତାରେ ଆୟୋଜକ ଦେଶ ଅଷ୍ଟ୍ରେଲିଆକୁ ଏକତରଫା ମୁକାବିଲାରେ ୮-୧ରେ ମାତ୍ ଦେଇଛି। ମ୍ୟାଚ୍‌ ସଂପୂର୍ଣ୍ଣ  ଭାବେ ଖାଲି ଷ୍ଟାଡିୟମରେ ଖେଳାଯାଇଛି। କରୋନା ମହାମାରୀ କାରଣରୁ ପ୍ରଶଂସକଙ୍କ ଷ୍ଟାଡିୟମରେ ପ୍ରବେଶ କଟକଣା ରହିଛି। ମହାମାରୀ ଯୋଗୁଁ ଗତ ବର୍ଷ ଅଲିମ୍ପିକ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଆନୁଷ୍ଠାନିକ ଭାବେ ଜୁଲାଇ ୨୩ରୁ ଟୋକିଓ ଅଲିମ୍ପିକ ୨୦୨୦ ଆରମ୍ଭ ହେବ।

ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମୁକାବିଲା ୩୦ ହଜାର ଦର୍ଶକ ବିଶିଷ୍ଟ ଷ୍ଟାଡିୟମରେ ଖେଳାଯାଇଛି। ମାତ୍ର ଏହି ସମୟରେ ମାତ୍ର ୫୦ ଦର୍ଶକ ଉପସ୍ଥିତ ଥିଲେ। ଏଥିରେ ଦଳ ଓ ଅଲିମ୍ପିକ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ସାମିଲ ଥିଲେ। ଜାପାନ ୨୦୦୮ ବେଜିଂ ଅଲିମ୍ପିକରେ ଆମେରିକାକୁ ହରାଇ ସ୍ଵର୍ଣ୍ଣ ପଦକ ହାସଲ କରିଥିଲା।

ଅନ୍ୟପଟେ ଆମେରିକା ମଧ୍ୟ ଟୋକିଓ ଅଲିମ୍ପିକ ୨୦୨୦ରେ ନିଜର ଅଭିଯାନ ବିଜୟ ସହ ଆରମ୍ଭ କରିଛି। ଦଳ ସଫ୍ଟବଲ୍ ପ୍ରତିଯୋଗିତାରେ ଇଟାଲୀକୁ ୨-୦ରେ ପରାସ୍ତ କରିଛି। ବେଜିଂ  ଅଲିମ୍ପିକ ୨୦୦୮ରେ ଆମେରିକା ଦଳର ସଦସ୍ୟ ଥିବା ୩୮ ବର୍ଷୀୟ କ୍ୟାଟ୍ ଓଷ୍ଟରମ୍ୟାନ ଆଜିର ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଜାପାନ ୨୦୦୮ରେ ଆମେରିକାକୁ ହରାଇ ସଫ୍ଟବଲ୍‌ ଟାଇଟଲ୍ ଜିତିଥିଲା। ପରେ ସଫ୍ଟବଲ୍  ଓ ବେସବଲ୍‌ଙ୍କୁ ୨୦୧୨ ଓ ୨୦୧୬ ଅଲିମ୍ପିକରୁ ବାଦ୍ ଦିଆଯାଇଥିଲା। ମାତ୍ର ଟୋକିଓ ଅଲିମ୍ପିକରେ ଏହି ଦୁଇ ଖେଳକୁ ସାମିଲ୍ କରାଯାଇଛି। କିନ୍ତୁ ୨୦୨୪ ପ୍ୟାରିସ୍‌ରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକରୁ ଏହି ଖେଳ  ପୁଣି ଥରେ ବାଦ୍ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.