ସରକାରଙ୍କଠୁ ଭିନ୍ନ ଦାବି ରଖିଲେ ବିଶେଷଜ୍ଞ, କହିଲେ- ଦେଶରେ ସାମୁଦାୟିକ ସଂକ୍ରମଣର ରୂପ ନେଇଛି କରୋନା

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୦୧।୦୬: ଦେଶରେ ସଂପ୍ରତି କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ଲକ୍‌ଡାଉନ୍‌ ପରେ ଲକ୍‌ଡାଉନ୍ ଲାଗୁ କଲେ ମଧ୍ୟ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। କିଛି ଦିନ ହେବ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ଫଳସ୍ଵରୂପ ଭାରତ ଏବେ ବିଶ୍ଵରେ ସର୍ବାଧିକ କରୋନା ପ୍ରଭାବିତ ଦେଶ ତାଲିକାରେ ସପ୍ତମ ସ୍ଥାନରେ ପହଞ୍ଚିଛି। ସରକାର ଗୋଟିଏ ପଟେ କହୁଛନ୍ତି ଯେ, ଦେଶରେ ସଂପ୍ରତି ସାମୁଦାୟିକ ସଂକ୍ରମଣ ହୋଇ ନାହିଁ। ମାତ୍ର ଅନ୍ୟପଟେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି କିଛି ସ୍ଵାସ୍ଥ୍ୟ ବିଶେଷଜ୍ଞ ଦାବି କରିଛନ୍ତି ଯେ, ଏବେ ଦେଶରେ କୋଭିଡ୍-୧୯ ସଂକ୍ରମଣର ସାମୁଦାୟିକ ସଂକ୍ରମଣ ଆରମ୍ଭ ହୋଇ ଯାଇଛି। ଏହି ସ୍ଵାସ୍ଥ୍ୟ ବିଶେଷଜ୍ଞ ମଧ୍ୟରେ ଏମ୍ସ ଡାକ୍ତର, ଆଇସିଏମଆର ରିସର୍ଚ୍ଚ ଗ୍ରୁପ୍‌ର ଦୁଇ ସଦସ୍ୟ ଆଦି ସାମିଲ।

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ସୋମବାର ସକାଳେ ୧ ଲକ୍ଷ ୯୦ ହଜାର ୫୩୫ ପହଞ୍ଚିଛି। ଅନ୍ୟପଟେ ଏ ପର୍ଯ୍ୟନ୍ତ ୫୩୯୪ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଏହା ସତ୍ଵେ ସରକାର କ୍ରମାଗତ କହୁଛନ୍ତି ଏବେ ଭାରତରେ କରୋନ ଭୂତାଣୁର ସାଂପ୍ରଦାୟିକ ସଂକ୍ରମଣ ହୋଇ ନାହିଁ। ଭାରତ ଏବେ ଦୁନିଆରେ ସର୍ବାଧିକ ଦେଶ ତାଲିକାରେ ସପ୍ତମ ସ୍ଥାନରେ ରହିଛି। ଇଣ୍ଡିଆନ ପବ୍ଲିକ ହେଲ୍‌ଥ ଆସୋସିଏସନ(IPHA), ଇଣ୍ଡିଆନ ଆସୋସିଏସନ ଅଫ ପ୍ରିଭେନଟିଭ୍ ଆଣ୍ଡ ସୋସିଆଲ ମେଡିସିନ(IAPSM) ଓ ଇଣ୍ଡିଆନ ଆସୋସିଏସନ ଅଫ ଏପିଡେମିଓଲୋଜିଷ୍ଟ(IAE)ର ବିଶେଷଜ୍ଞଙ୍କ ଦ୍ଵାରା ସଂକଳିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଏହି ପରି ସ୍ତରରେ କରୋନା ମହାମାରୀ ସମାପ୍ତ ହେବା ଆଶା କରାଯାଇ ପାରିବ ନାହିଁ, କାରଣ ଦେଶରେ ଭୂତାଣୁର ସାମୁଦାୟିକ ସଂକ୍ରମଣ ଆରମ୍ଭ ହୋଇ ଯାଇଛି। ରିପୋର୍ଟ ଅନୁସାରେ, କରୋନା ସଂକ୍ରମଣ ପ୍ରତିରୋଧ ଲାଗି ଲାଗୁ ଲକ୍‌ଡାଉନ୍‌ରୁ ଏହା ଆଶା କରାଯାଉଥିଲା ଯେ, ଗୋଟିଏ ସମୟ ଭିତରେ ଏହି ସଂକ୍ରମଣର ବ୍ୟାପକତାକୁ ରୋକାଯାଇ ପାରିବ। ଏବେ ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ଶେଷ ହୋଇ ଯାଇଛି। କିଛି ମାତ୍ରାରେ ରୋକିବାକୁ ସଫଳ ହୋଇଥିଲେ ମଧ୍ୟ ଏବେ ଦେଶରେ କରୋନା ସଂକ୍ରମଣ  ହୁ ହୁ ହୋଇ ବଢିବାରେ ଲାଗିଛି।

୧୬ ସଦସ୍ୟ ବିଶିଷ୍ଟ କୋଭିଡ୍-୧୯ ଟାସ୍କ ଫୋର୍ସରେ IAPSMର ପୂର୍ବତନ ସଭାପତି ଡ. ଶଶିକାନ୍ତ, IPHAର ଅଧ୍ୟକ୍ଷ ଡ. ସଞ୍ଜୟ କେ ରୟ, ବିଏଚୟୁର ଡ. ଡିସିଏମ ରେଡ୍ଡୀ ଓ ଚଣ୍ଡିଗଡ ସ୍ଥିତ ପିଜିଏମଆଇଆରର ଡ. ରାଜେଶ କୁମାର ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.