ଭୁବନେଶ୍ୱର-କଟକରେ ଗୋଷ୍ଠୀ ସଂକ୍ରମଣ : ଜଣେ ଆକ୍ରାନ୍ତ ୨୦୦ ଜଣଙ୍କୁ କରିପାରିବେ ସଂକ୍ରମିତ

Published By : Prameya-News7 Bureau | April 29, 2021 IST

ଭୁବନେଶ୍ୱର,୨୯/୦୪: ରାଜଧାନୀରେ ରେକର୍ଡ ବ୍ରେକିଂ ସଂକ୍ରମଣ । ଦିନକରେ ବଢିଲା ୨୩୧୩ । କରୋନାର ଏ ଲମ୍ବଡିଆଁ ଛାତି ଥରାଇଲା ଭଳି । ଭୁବନେଶ୍ୱର-କଟକରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା କଥାକୁ ଖୋଦ୍‌ ସ୍ୱାସ୍ଥ୍ୟ ବିଭାଗ ସ୍ୱୀକାର କରିଛି । ପ୍ରତ୍ୟେକ ବ୍ୟକ୍ତି ୨୦୦ ଲୋକଙ୍କୁ ସଂକ୍ରମିତ କରିପାରିବେ । ଏ ସ୍ଥିତି ଲାଗି ରହିଲେ, ମେ’ ମଧ୍ୟଭାଗ ବେଳକୁ ଅସମ୍ଭାଳ ହୋଇଯାଇଥିବ ସ୍ଥିତି । ଦିଲ୍ଲୀ, ମୁମ୍ବାଇ ଭଳି ରୋଗୀ ବେଡ୍‌ ପାଇବେନି । ଆଇସିୟୁ କଥା ଛାଡ଼ନ୍ତୁ, ଜେନରାଲ ବେଡ୍‌ରେ ବି ରୋଗୀ ଭର୍ତ୍ତି ହୋଇଯିବେ ।

ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି,ଏ ସ୍ଥିତି ଲାଗି ରହିଲେ ମେ’ ମଧ୍ୟଭାଗରେ କରୋନା ସୁନାମି ଚାଲିଥିବ । ରୋଗୀ ସଂଖ୍ୟା ୨ ଲକ୍ଷ ପାର୍‌ କରିଯାଇଥିବ । ଦୈନିକ ସଂକ୍ରମଣ ୧୩ ହଜାରକୁ ଟପୁଥିବା ବେଳେ ୫୮୦୦ ରୋଗୀଙ୍କୁ ଆଡ୍‌ମିଶନ ଦରକାର ପଡୁଥିବ । ୨୦୪୦ ଜଣ ରୋଗୀ ଗୁରୁତର ହୋଇଯାଇଥିବେ । ଭେଣ୍ଟିଲେଟର ଆବଶ୍ୟକ ପଡିବ ୪୩୮ । ଏହି ଚିତ୍ର ହିଁ ହୋସ୍‌ ଉଡ଼ାଇଲା ଭଳି । ତେବେ ଆଉ କିଛି ବିଶେଷଜ୍ଞ ଲକ୍‌ଡାଉନ ନହେଲେ, ଦୈନିକ ସଂକ୍ରମଣ ୩୦ ହଜାରକୁ ଟପିଯିବ ବୋଲି ଅକଳନ କରିଛନ୍ତି । ଏପ୍ରିଲ୍‌ ମାସକ ମଧ୍ୟରେ ୯୦ ହଜାର ନୂଆ କେସ୍‌ ବାହାରିଛି । ବୁଧବାର ୧୦ ଜୀବନ ମଧ୍ୟ ନେଇଛି ମହାମାରୀ ଭୂତାଣୁ ।

 ଏପଟେ ରୋଗୀ ବଢୁଥିବାରୁ ନିଜ ଆଡ଼ୁ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଓ କଳାହାଣ୍ଡିର ବ୍ୟବସାୟୀ । ଗଞ୍ଜାମରେ ମେ’ ଯାଏ ଦିନ ୨ ଟା ପରେ ଦୋକାନ ବଜାର ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ସେହିଭଳି କଳାହାଣ୍ଡିରେ ଅତ୍ୟାବଶ୍ୟକ ସାମଗ୍ରୀଙ୍କୁ ଛାଡ଼ି ସବୁ ଦୋକାନ ବଜାର ୫ ଦିନ ଯାଏ ବନ୍ଦ ରହିବ । ଭୁବନେଶ୍ୱରରେ କିନ୍ତୁ ସ୍ଥିତି ଓଲଟା । ଭିଡ଼ ଓ ମାସ୍କ ପିନ୍ଧୁନଥିବାରୁ ପୁଲିସ୍‌ ଓ ବିଏମ୍‌ସି ମାର୍କେଟ ବିଲ୍ଡିଂକୁ ଦୁଇ ଦିନ ପାଇଁ ସିଲ୍‌ କରି ଦେଇଛି । ଶନି, ରବି ସପ୍ତାହନ୍ତ ସଟ୍‌ଡାଉନ ଯୋଗୁ ମାର୍କେଟ ବିଲ୍ଡିଂ ସୋମବାର ଖୋଲିବ ।

  ଆର୍‌ଏମଆରସି ନିର୍ଦ୍ଦେଶକ ସଂଘମିତ୍ରା ପତି ସୂଚନା ଦେଇ କହିଛନ୍ତି, କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବାର ୬ ସପ୍ତାହ ପରେ ହିଁ ଟିକା ନିଅନ୍ତୁ । ଏହାବାଦ୍‌ ଯେଉଁ ବ୍ୟକ୍ତି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ ଆଉ ଲକ୍ଷଣ ଦେଖାଯିବ ଏଭଳି କ୍ଷେତ୍ରରେ ତୁରନ୍ତ ପରୀକ୍ଷା କରାଇବା ସହ ନିଜକୁ ଆଇସୋଲେଟ୍‌ କରି ରଖିବା ଦରକାର । ସେହିଭଳି ଲକ୍ଷଣ ନଥିଲେ ୩/୫ ଦିନ ପରେ ଯାଇ ପରୀକ୍ଷା କରାଇବା ଉଚିତ । ଏହାଛଡ଼ା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ପୁଣି ଲକ୍ଷଣ ଦେଖାଗଲେ ଡାକ୍ତର ପରାମର୍ଶ କରିବା ସହ ଆଉ ଥରେ ଟେଷ୍ଟିଂ କରାଇ ନେବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.