ପଂଚାୟତରେ ହେଲା ଦୁଷ୍କର୍ମ ପୀଡିତାଙ୍କ ଇଜ୍ଜତର ନିଲାମୀ : ୨ ଯୁବକ କରିଥିଲେ ଦୁଷ୍କର୍ମ

Published By : Prameya-News7 Bureau | March 26, 2019 IST

ମିରଠ ୨୬/୩ : ଉତ୍ତର ପ୍ରଦେଶ ମିରଠରେ ବସିଥିବା ପଂଚାୟତରେ ଜଣେ ଦୁଷ୍କର୍ମ ପୀଡିତାଙ୍କ ଇଜ୍ଜତ ନିଲାମୀ କରିଥିବା ଭଳି ଘଟଣା ସାମ୍ନାକୁ ଆସିଛି | ଦୌରାଲ ଅନ୍ତର୍ଗତ ଏକ ଗାଁର ଦୁଇ ଯୁବକ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରି ଭିଡିଓ ରେକଡିଂ କରିଥିଲେ | ଏହାପରେ ମହିଳାଙ୍କ ଭିଡିଓ ତାଙ୍କ ସ୍ୱାମୀକୁ ଦେଖାଇ ଦେଇଥିଲେ | ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ପଂଚାୟତ ବସିଥିଲା | ପଂଚାୟତରେ ଦୋଷୀ ପକ୍ଷ ଯୁବତୀଙ୍କ ଇଜ୍ଜତର ନିଲାମୀ ଡାକିଥିଲେ | ଏହାପରେ ଯୁବତୀଙ୍କ ପରିବାରଲୋକେ ଦୁଇ ଯୁବକଙ୍କୁ ନିର୍ଦ୍ଧୁମ ମାଡ ମାରିଥିଲେ | ଯାହାଫଳରେ ଉତ୍ତେଜନା ଦେଖା ଦେଇଥିଲା | ଏସପି ଘଟଣାସ୍ଥଳରେ ପହଂଚି ଉଭୟ ପକ୍ଷକୁ ବୁଝାଇସୁଝାଇ ପୋଲିସ ମୁତୟନ କରିଥିଲେ |


ଅଲଗା ସମ୍ପ୍ରଦାୟର ୨ ଯୁବକ ସଂପୃକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଭିଡିଓ ଦେଖାଇ ସବୁବେଳେ ତାଙ୍କୁ ବ୍ଲାକମେଲ କରୁଥିଲେ | କିଛି ଦିନ ପୂର୍ବରୁ ମହିଳାଙ୍କ ବାହାଘର ହୋଇଥିଲା | ଅଭିଯୁକ୍ତମାନେ ଭିଡିଓ ଯୁବତୀଙ୍କ ସ୍ୱାମୀଙ୍କୁ ପଠେଇ ଦେଇଥିଲେ | ଫଳରେ ମହିଳାଙ୍କ ଦାମ୍ପତ୍ୟ ଭାଙ୍ଗି ଯାଇଥିଲା | ଘଟଣାକୁ ନେଇ ରବିବାର ସନ୍ଧ୍ୟାରେ ପଂଚାୟତ ବସିଥିଲା | ପଂଚାୟତରେ କୌଣସି ନିଷ୍ପତ୍ତି ନିଆଯାଇ ପାରିନଥିଲା | ସୋମବାର ଦିନ ପୁଣି ପଂଚାୟତ ବସିଥିଲା | ପଂଚାୟତରେ ଅଭିଯୁକ୍ତ ଯୁବକଙ୍କ ପରିବାରଲୋକେ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଆକାରରେ ଅଢେଇ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ | ଏହା ଶୁଣି ମହିଳାଙ୍କ ଘରଲୋକ ରାଗି ଯାଇଥିଲେ ଏବଂ ୨ ଯୁବକଙ୍କୁ ମାଡ ମାରିଥିଲେ |


ଗାଁରେ ସାମ୍ପ୍ରଦାୟିକ ଦଙ୍ଗାର ଖବରପାଇ ଏସପି ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଂଚିଥିଲେ | ଯେକୌଣସିମତେ ପରିସ୍ଥିତିକୁ ନିୟନ୍ତ୍ରଣ କରି ୨ ଯୁବକଙ୍କୁ ଗିରଫ କରିଥିଲା ପୋଲିସ | ଯୁବତୀଙ୍କ ଅଭିଯୋଗ କ୍ରମେ ୨ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ କରାଯାଇଛି | ଗାଁରେ ଉତ୍ତେଜନା ଯୋଗୁଁ ପୋଲିସ ମୁତୟନ କରାଯାଇଛି | ୨ ଯୁବକଙ୍କୁ ସମାଜରୁ ବାଛନ୍ଦ କରି ଗାଁରୁ ବାହାର କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.