ଦୁଷ୍କନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣା : ତଦନ୍ତ କରିବ କମିଶନରେଟ୍ ପୋଲିସ, ଚିଠି ଲେଖିଛି ଜଗତସିଂହପୁର ପୋଲିସ

Published By : Prameya-News7 Bureau | September 11, 2021 IST

ଭୁବନେଶ୍ବର ୧୧।୯: ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାର ତନାଘନା । ଘଟଣାର ତଦନ୍ତ କରିବ କମିଶନରେଟ୍ ପୋଲିସ । ଘଟଣାର ତଦନ୍ତ ପାଇଁ ପତ୍ର ଲେଖିଛି ଜଗତସିଂହପୁର ପୋଲିସ । ମାମଲାରେ ସମ୍ପୃକ୍ତ ସମସ୍ତଙ୍କୁ ବାନ୍ଧିବ କମିଶନରେଟ୍ ପୋଲିସ । ଏ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ଘଟଣା ପୂର୍ବରୁ ଦୁଷ୍ମନ୍ତ କାହା କାହା ସମ୍ପର୍କରେ ଆସିଥିଲା ? ଦୁଷ୍ମନ୍ତ ଭୁବନେଶ୍ବରରେ କିଭଳି ପହଞ୍ଚିଲେ ? ଭୁବନେଶ୍ବରରେ ପହଞ୍ଚିବା ପୂର୍ବରୁ ସେ କାହା କାହା ସହ ମୋବାଇଲରେ କଥା ହୋଇଥିଲା ? ଦୁଷ୍ମନ୍ତ ନିଜ ଇଚ୍ଛାରେ ଆସିଥିଲେ ନାଁ ତାଙ୍କୁ କେହି ଭୁବନେଶ୍ବର ଆସିବାକୁ ପ୍ରବର୍ତ୍ତାଇଥିଲେ ? ଦୁଷ୍ମନ୍ତ ଯେଉଁ ବିଷ ପିଇଥିଲେ ? ତାହାକୁ ସେ ନିଜେ କିଣିକି ଆଣିଥିଲେ ନା ଅନ୍ୟ କେହି ତାଙ୍କୁ ବିଷ ଆଣିଦେଇଥିଲେ ? ଏ ସମସ୍ତ ଘଟଣାର ତଦନ୍ତ କରିବ ଲାଲବାଗ ଥାନା ପୋଲିସ । ଯଦି ଏହି ମାମଲାରେ କାହାର ବି ସମ୍ପୃକ୍ତି ରହିବ ତାକୁ ବାନ୍ଧିବ କମିସନରେଟ୍ ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ, ଗତ ୭ ତାରିଖରେ ବିଧାନସଭା ଚାଲିଥିବା ବେଳେ ଦୁଷ୍ମନ୍ତ ନିଜ ହାତ କାଟି ବିରୋଧ ପ୍ରଦର୍ଶନ କରିଥିଲେ । ଏପରିକି ସେ ବିଷ ପିଇ ଦେଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଷ୍ମନ୍ତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରବର୍ତ୍ତୀ ସମୟରେ ଏସସିବିକୁ ପଠାଇଥିଲେ । ସେଠାରେ ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ ଏସସିବି ଡାକ୍ତର। ଏହାପରେ ଦୁଷ୍ମନ୍ତଙ୍କ ମା’ ତାଙ୍କୁ ଦୁଇ ଜଣ ଯୁବକ ଡାକି ନେଇଥିବା ଅଭିଯୋଗ ମଧ୍ୟ କରିଥିଲେ ।
ପ୍ରଥମ ପର୍ଯ୍ୟାୟରେ ଲାଲବାଗ୍ ଥାନା ପୋଲିସ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି କଟକ ଏସସିବିର ସିସିଟିଭି ଫୁଟେଜକୁ ଆଧାର କରି ଅନୁସନ୍ଧାନ କରିବା ଆରମ୍ଭ କରିଛି ।  ଏହାପରେ ଭୁବନେଶ୍ବର ଆସି ମାଷ୍ଟରକ୍ୟାଣ୍ଟିନଠାରୁ ବିଧାନସଭା ପର୍ଯ୍ୟନ୍ତ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.