'ଦାଦା'ଙ୍କୁ ନାହିଁ ନିସ୍ତାର, ଦାଦାଗିରିକୁ କାବୁ କରିବାକୁ ପୋଲିସର ସ୍ପେଶାଲ ଡ୍ରାଇଭ୍

Published By : Prameya-News7 Bureau | October 16, 2020 IST

ଭୁବନେଶ୍ବର ୧୫ ।୧୦: ଭୁବନେଶ୍ବର ଓ ଏହାର ଉପକଣ୍ଠରେ ଜମି କିଣି ଘର କରିବାକୁ ଚାହୁଁଥିବା ଲୋକେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ଜମି କିଣିଲେ ଦାଦା ବଟି, ଘର ତିଆରି କଲେ ଦାଦାବଟି, ରାସ୍ତାରେ ଚାଲିଲେ ବି ଦାଦା ବଟି । ଦାଦାଙ୍କ ଦୟା ନ ହେଲେ ମାଟି ମୁଠେ ବି ପକାଇବା ଅସମ୍ଭବ । ଏହି ଦାଦାଗିରିରେ ଯେ ଖାଲି ପୁରୁଷ ମାତିଛନ୍ତି, ତା’ ନୁହେଁ ମହିଳା ମାନେ ମଧ୍ୟ ଦାଦାବଟି ମାଗୁଛନ୍ତି । ବଟି ନ ଦେଲେ ଘର କରିବା ଅସମ୍ଭବ । ଖାଲି ସେତିକି ନୁହେଁ ଜମିକୁ ଜବରଦଖଲ କରି ନେଉଛନ୍ତି ଦାଦାମାନେ । ବିଳମ୍ବରେ ହେଲେ ପଛେ ଏହି ଦାଦାମାନଙ୍କୁ ସାବାଡ୍‌ କରିବାକୁ ଅଣ୍ଟା ଭିଡିଛି କମିଶନରେଟ୍‌ ପୁଲିସ୍‌ । ଏନେଇ ଆଜି ଏକ ବୈଠକରେ ନିଷ୍ପତ୍ତି ହୋଇଛି । ଦାଦାଙ୍କୁ କାବୁ କରିବାକୁ ପୁଲିସ୍‌ ଏକ ସ୍ପେଶାଲ୍‌ ଡ୍ରାଇଭ୍‌ ଆରମ୍ଭ କରିବାକୁ ଯାଉଛି ।

ଏନେଇ କମିଶନର ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି, ଦାଦା ବଟି ଆଦାୟ ଅଭିଯୋଗ ପାଇବା କ୍ଷଣି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କର । ଖାଲି ସେତିକି ନୁହେଁ ବିଭିନ୍ନ ଉଠା ଦୋକାନୀଙ୍କ ଠାରୁ ଦାଦା ବଟି ଆଦାୟ କରୁଛନ୍ତି ସ୍ଥାନୀୟ ଯୁବକମାନେ । ସେମାନଙ୍କୁ ଗିରଫ କରିବାକୁ ମଧ୍ୟ ପୁଲିସ୍‌ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସାରା ଭୁବନେଶ୍ୱରରେ ଏମାନଙ୍କର ଉତ୍ପାତ ଜନସାଧାରଣଙ୍କୁ ଅତିଷ୍ଠ କରିଥିବା ବେଳେ ଏହା ଏବେ ଉପକଣ୍ଠରେ ବ୍ୟାପିବାରେ ଲାଗିଛି । ଅନେକ ସମୟରେ ପୁଲିସ ମଧ୍ୟ ଭୟରେ ନିରବ ରହିଯାଉଛି । ଜେଲ୍‌ ଯାଇ ଫେରିବା ପରେ ଦାଦାଙ୍କ ଉତ୍ପାତ ୪ ଗୁଣ ହେଉଛି । ତେବେ ଏହି "ଦାଦା'ଙ୍କୁ ଆଉ ନିସ୍ତାର ନାହିଁ ।  ଜନସାଧାରଣଙ୍କୁ ଆତଙ୍କିତ କରି ରଖିଥିବା ତଥାକଥିତ ଦାଦାମାନଙ୍କ ବିରୋଧରେ ଆବଶ୍ୟକ ପଡ଼ିଲେ ଏନ୍‌ଏସ୍‌ଏ ବଳରେ ମାମଲା ରୁଜୁ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଆଇଆଇସିମାନେ ନିଜ ନିଜ ଥାନାରେ ଥିବା ଏଭଳି ଅଭିଯୋଗ ନେଇ ପୁରୁଣା ଏତଲାଗୁଡ଼ିକୁ ଯାଞ୍ଚ କରିବେ ।  ଏଭଳି ଦାଦାବଟି ଆଦାୟ କରୁଥିବା ଯୁବକକୁ ଚିହ୍ନଟ କରି ଜେଲ୍‌ ପଠାଇବେ । ଏଥିପାଇଁ ନିଜର ଗୁଇନ୍ଦା ମଧ୍ୟ ବ୍ୟବହାର କରିବେ । ନିୟମିତ ବ୍ୟବଧାନରେ ଏହି ସ୍ପେଶାଲ୍‌ ଡ୍ରାଇଭ୍‌ ଉପରେ ସମୀକ୍ଷା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.