କମିଶନରଙ୍କ ବିରୋଧରେ ଏଫଆଇଆର ନେଇ କମିଶନରେଟ ପକ୍ଷରୁ ଆସିଲା ସ୍ପଷ୍ଟୀକରଣ, କହିଲେ କୌଣସି ସାମ୍ବିଧାନିକ ପଦବୀଙ୍କୁ କରାଇଯାଇ ନାହିଁ ଅସମ୍ମାନ, ଅଭିଯୋଗ ଶୁଣାଣୀ ଦିନ ଆସିଲେ ଶୁଣାଯିବ ସମସ୍ତଙ୍କ ସମସ୍ୟା…

Published By : Prameya-News7 Bureau | October 26, 2019 IST

ଭୁବନେଶ୍ୱର ୨୬।୧୦ - ସାମ୍ବିଧାନିକ ପଦବୀ ଓ ପଦାଧିକାରୀଙ୍କୁ ଅସମ୍ମାନ ଅଭିଯୋଗରେ କମିଶନରେଟ୍‌ ପୁଲିସ ପକ୍ଷରୁ ଏକ ପ୍ରେସ ରିଲିଜ୍‌ ଜାରି କରାଯାଇଛି । ଟୁଇନ ସିଟି ପୋଲିସ କମିଶନରଙ୍କ ବିରୋଧରେ ହୋଇଥିବା ଏଫଆଇଆର ନେଇ କମିଶନରେଟ କାର୍ଯ୍ୟାଳୟ ପକ୍ଷରୁ ପ୍ରତିକ୍ରିୟା ଆସିଛି । ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଅକ୍ଟୋବର ୨୧ ତାରିଖରେ ଜଣେ ବ୍ୟକ୍ତି ପୁଲିସ କମିଶନରଙ୍କୁ ଦେଖା କରିବାକୁ ଆସିଥିଲେ । ମାତ୍ର ସେହିଦିନ କଟକରେ କାଳୀ ପୂଜା ଶାନ୍ତି କମିଟି ବୈଠକ ଥିବାରୁ କମିଶନର ବ୍ୟସ୍ତ ଥିଲେ । ଏହା ସହ ଦୁଇ ଜଣ ସାସଂଦ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦମ୍ବିକା ପାଲ୍‌ ଓ ପୂର୍ବତନ ମୁମ୍ବାଇ ପୁଲିସ କମିଶନର ସତ୍ୟପାଲ ସିଂ ଆସିଥିବାରୁ ମଧ୍ୟ କମିଶନର ବ୍ୟସ୍ତ ଥିଲେ । ସମୟର ସ୍ୱଳ୍ପତା ଯୋଗୁଁ ସେହି ବ୍ୟକ୍ତିଙ୍କ ସହ ପୁଲିସ କମିଶନର ଭେଟି ପାରି ନଥିବା ଏହି ପ୍ରେସ ରିଲଜ୍‌ରେ ଉଲ୍ଲେଖ ରହିଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଆସିଥିବା ପତ୍ରର ଜରୁରୀକାଳୀନ ଶୁଣାଣୀ କରିବା ପାଇଁ ଦାବି କରିଥିଲେ । ତେବେ ପୁଲିସ କମିଶନର ତାଙ୍କୁ ଫାଙ୍କା ସମୟ କିମ୍ବା ଅଭିଯୋଗ ଶୁଣାଣୀ ଦିନ ଆସିବା ପାଇଁ କହିଥିଲେ । ଫଳରେ ସଂପୃକ୍ତ ବ୍ୟକ୍ତି ଚାଲିଯାଇଥିଲେ । ପରେ ସେହି ବ୍ୟକ୍ତିଙ୍କୁ କମିଶନରେଟ ପୋଲିସ ପକ୍ଷରୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଆସିବା ପାଇଁ ମନା କରିଦେଇଥିଲେ ବୋଲି କୁହାଯାଇଛି ।

ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଆସିଥିବା ପତ୍ରକୁ ଡିସିପିଙ୍କ କାର୍ଯ୍ୟାଳୟକୁ ଅନୁସନ୍ଧାନ ପାଇଁ ପଠାଯାଇଛି । ଗୋଟିଏ ସ୍ଥାନରେ ଏକ ପେଟ୍ରୋଲ ପମ୍ପ ଥିବା ବେଳେ ଅନ୍ୟ ଏକ ପେଟ୍ରୋଲ ପମ୍ପକୁ ସେଠାରେ କରିବା ପାଇଁ ଏହି ବ୍ୟକ୍ତି ଜଣକ ବିରୋଧ କରୁଥିବା ଏହି ପ୍ରେସ ରିଲିଜ୍‌ରେ ଉଲ୍ଲେଖ ରହିଛି । ଏହି ବ୍ୟକ୍ତିଜଣଙ୍କ ସେଠାରେ ଥିବା ଅନ୍ୟ ଏକ ପେଟ୍ରୋଲ ପମ୍ପର ମାଲିକ । ଏହା ପେଟ୍ରୋଲ ବିତରଣ ଓ ବ୍ୟବସାୟ କରୁଥିବା ପେଟ୍ରୋଲ କମ୍ପାନୀର ବ୍ୟବସାୟିକ ନିଷ୍ପତ୍ତି । ଆଇନ ଅନୁସାରେ କାର୍ଯ୍ୟ କରାଯିବ କୌଣସି ଚାପରେ ନୁହେଁ ବୋଲି ଏହି ପ୍ରେସ ରିଲିଜ୍‌ରେ ସୂଚନା ଦିଆଯାଇଛି ।

ଏଥିରେ କୌଣସି ସମ୍ବିଧାନିକ ପଦ ପଦବୀକୁ ଅସମ୍ମାନ କରାଯିବା ଉଦେଶ୍ୟ ନାହିଁ ବୋଲି ସ୍ପଷ୍ଟ ଦିଆଯାଇଛି । ସମସ୍ତ ନାଗରିକଙ୍କୁ ଅଭିଯୋଗ ଶୁଣାଣୀ ଦିନ (ସୋମବାର ସକାଳେ ) କିମ୍ବା ସମୟର ଉପଲବ୍ଧ ଅନୁସାରେ କମିଶନର କିମ୍ବା ଅତିରିକ୍ତ କମିଶନଙ୍କୁ ଭେଟିବା ପାଇଁ ଆସନ୍ତୁ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି । କୌଣସି ଉଚ୍ଚପଦସ୍ଥଙ୍କ ଚାପ କିମ୍ବା ସୁପାରିଶ ନ ରହିଲେ ସେମାନଙ୍କୁ ଶୁଣାଯିବ ନାହିଁ କି ଅଭିଯୋଗ ଗ୍ରହଣ କରାଯିବ ନାହିଁ ବୋଲି ସାଧାରଣ ନାଗରିକ ଭାବିବା ଉଚିତ୍‌ ନୁହେଁ ବୋଲି ଏଥିରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.