କମିସନରେଟ୍ ପୋଲିସର ନୂଆ ଯୋଜନା ‘ଆପୋସ’; ଅପରାଧ ନିୟନ୍ତ୍ରଣ ପାଇଁ ବସ୍ତିବାସିନ୍ଦାଙ୍କ ସହ ସମ୍ପର୍କ ଯୋଡିବ ପୋଲିସ
11/02/2019 at 12:18 PM

ଭୁବନେଶ୍ବର ୧୧|୨: କମିସନରେଟ୍ ପୋଲିସର ନୂଆ ଯୋଜନା ‘ଆପୋସ’ । ଅପରାଧ ନିୟନ୍ତ୍ରଣ ପାଇଁ ବସ୍ତିବାସିନ୍ଦାଙ୍କ ସହ ସମ୍ପର୍କ ଯୋଡିବ ପୋଲିସ । ରାଜଧାନୀରେ ଘଟୁଥିବା ଅଧିକାଂଶ ଅପରାଧର ବ୍ଲୁ ପ୍ରିଣ୍ଟ ବସ୍ତିରେ ପ୍ରସ୍ତୁତ ହେଉଛି। ଏହାର ପ୍ରମାଣ ପୋଲିସ ହାତରେ। କିନ୍ତୁ ବସ୍ତିରେ ପଶିବା ଏବଂ ଅପରାଧୀଙ୍କୁ ଧରିବା କମିସନରେଟ୍ ପୋଲିସ ପାଇଁ ଚାଲେଞ୍ଜ ପାଲଟିଛି।

ରାଜଧାନୀରେ ଦିନକୁ ଦିନ ନୂଆ ନୂଆ ବସ୍ତି ଗଢ଼ି ଉଠୁଥିବାବେଳେ କେଉଁଠି କ’ଣ ହେଉଛି ତାର ଟେର୍ ବି ପୋଲିସ ପାଉନି। ପୋଲିସ ପାଇଁ ବସ୍ତି ଅପହଞ୍ଚ ପାଲଟିଛି। ତେଣୁ ବସ୍ତିବାସିନ୍ଦାଙ୍କ ସହ ସମ୍ପର୍କ ଯୋଡ଼ିବା, ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ବସ୍ତି ବାସିନ୍ଦାଙ୍କୁ ସଚେତନ କରିବା, ବସ୍ତିର ଟିକିନିଖି ଖବର ସ୍ଥାନୀୟ ଥାନାରେ ତୁରନ୍ତ ଯେପରି ପହଞ୍ଚିବ ସେଥିପାଇଁ କମିସନରେଟ୍ ପୋଲିସ ଆରମ୍ଭ କରିବାକୁ ଯାଉଛି ନୂଆ ଯୋଜନା ‘ଆପୋସ’। ପ୍ରାଥମିକ ପର୍ଯ୍ୟାୟରେ କମିସନରେଟ୍ ପୋଲିସ ଅଧୀନରେ ଥିବା ୬ଟି ବସ୍ତିରେ ଏହି ଯୋଜନା ଆରମ୍ଭ ହେବ। ଏହାପରେ ରାଜଧାନୀର ସବୁ ବସ୍ତିରେ କମିସନରେଟ୍ ପୁଲିସ ଏହି ଯୋଜନା ମାଧ୍ୟମରେ ପ୍ରବେଶ କରିବ।

ରାଜଧାନୀରେ ପ୍ରାୟ ୪୦୦ରୁ ଅଧିକ ବସ୍ତି ଗଢ଼ି ଉଠିଥିବାରୁ ଏଠାରେ ସାମାଜିକ ନିୟନ୍ତ୍ରଣ ବ୍ୟବସ୍ଥା ଦୁର୍ବଳ। ଯାହାର ସୁଯୋଗ ନେଇ ଅପରାଧୀମାନେ ବସ୍ତିରେ ଆଡ୍ଡା ଜମାଉଛନ୍ତି। ଏପରିକି ବହୁ କୁଖ୍ୟାତ ଅପରାଧୀ ପୋଲିସ ନଜରରୁ ଦୂରେଇ ରହିବା ପାଇଁ ବସ୍ତିକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଉଛନ୍ତି। କେବଳ ଏତିକି ନୁହେଁ ରାଜଧାନୀରେ ଏବେ ବ୍ରାଉନସୁଗାର, ଚୋରା ମଦ, ଗଞ୍ଜେଇ କାରବାର ବଢ଼ି ଚାଲିଥିବାବେଳେ ଏହା ବସ୍ତିରୁ ହିଁ ନିୟନ୍ତ୍ରଣ ହେଉଛି। ପୋଲିସ ଖବର ପାଇ ବସ୍ତିରେ ଚଢ଼ଉ କରୁଥିଲେ ହେଁ ବସ୍ତି ବାସିନ୍ଦାଙ୍କ ଅସହଯୋଗ ଓ ବସ୍ତିରେ ପୁଲିସର ଅପହଞ୍ଚର ସୁଯୋଗ ନେଇ ଏହି ଅପରାଧୀମାନେ ସହଜରେ ଖସି ଯାଉଛନ୍ତି। ବସ୍ତିବାସିନ୍ଦା ପୋଲିସକୁ ଭୟ କରୁଥିବାରୁ ସୂଚନା ବି ଦେଉନାହାନ୍ତି।

ବସ୍ତିରେ ବହୁ ନିରୀହ ଲୋକ ରହୁଥିବାରୁ ସେମାନେ ବି ଏହି ଅପରାଧୀଙ୍କ ଭୟରେ ମୁହଁ ଖୋଲୁନାହାନ୍ତି। ପୋଲିସ ସେମାନଙ୍କ ପାଖରେ ପହଞ୍ଚିଲେ, ସେମାନଙ୍କ ସହିତ ପୋଲିସ ଅଛି ବୋଲି ସେମାନେ ଅନୁଭବ କଲେ ହିଁ ପୋଲିସକୁ ସୂଚନା ଦେବେ। ତେଣୁ ‘ଆପୋସ’ ମାଧ୍ୟମରେ ସମ୍ପର୍କ ଯୋଡ଼ିବ ପୋଲିସ ।