ଆକାଶ ପାଠକଙ୍କୁ ପୁଣି ଥରେ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ: ନିଜକୁ ଏମଡି ପରିଚୟ ଦେଇ ବେକାର ଯୁବକ-ଯୁବତୀଙ୍କ ଠାରୁ ଲୁଟିଛନ୍ତି କୋଟି କୋଟି ଟଙ୍କା

Published By : Prameya-News7 Bureau | December 08, 2020 IST

ଭୁବନେଶ୍ୱର ୦୮/୧୨ : ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ପୁଣି ଥରେ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ । ସ୍କାଏ କିଙ୍ଗ ଠକେଇ ମାମଲାରେ ତାଙ୍କୁ ଅଧିକ ପଚରା ଉଚରା କରିବା ସହ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ଆକାଶଙ୍କ ଦସ୍ତଖତ । ଟାଟା ନାଁରେ ଆକାଶ ବାଣ୍ଟିଥିବା ନିଯୁକ୍ତିପତ୍ର ସହ ଦସ୍ତଖତ ମେଳକ ହେବ ବୋଲି ସୂଚନା ଦେଇଛନ୍ତି ଟୁଇନ୍‌ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

{"id":374661,"width":570,"height":564,"sizeSlug":"large"}

ଆକାଶ ପାଠକଙ୍କୁ ପୁଣି ଥରେ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ । ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ଆକାଶଙ୍କ ଦସ୍ତଖତ । ଟାଟା ନାଁରେ ଆକାଶ ବାଣ୍ଟିଥିବା ନିଯୁକ୍ତିପତ୍ର ସହ ଦସ୍ତଖତ ମେଳକ ହେବ । ଆକାଶ ନିଜକୁ ଟାଟା ମୋଟର୍ସର ଏମଡି ପରିଚୟ ଦେଇ ଶିକ୍ଷିତ ବେକାର ଯୁବକ-ଯୁବତୀଙ୍କୁ ଠକି କୋଟି କୋଟି ଟଙ୍କା ହରିଲୁଟ୍‌ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଆକାଶ ପାଠକଙ୍କ ସହ ତାଙ୍କର ଭାବି ଶ୍ବଶୂର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଫସିଛନ୍ତି । ସ୍କାଏ କିଙ୍ଗ ଟ୍ରାଭେଲ୍‌ ଏଜେନ୍ସୀ ମାଧ୍ୟମରେ ଆକାଶ ପାଠକ ୧୦ଥର ଚାର୍ଟର ପ୍ଲେନ୍‌ ବୁକ୍‌ କରିଛନ୍ତି । ଟ୍ରେନ୍‌ ଟିକେଟ୍‌ ଠାରୁ ଆରମ୍ଭ କରି ଫ୍ଲାଇଟ୍‌ ଟିକେଟ୍‌ ବିଭିନ୍ନ ନାମୀ ଦାମୀ ହୋଟେଲରେ ରୁମ୍‌ ବୁକ୍‌ କରୁଥିଲେ । ଏହି ବାବଦକୁ ସ୍କାଏ କିଙ୍ଗକୁ ଆକାଶ ୨କୋଟି ୭୪ଲକ୍ଷ ଟଙ୍କା ଦେଇଥିବା ବେଳେ ବାକି ୬୫ଲକ୍ଷ ନଦେବାରୁ ସ୍କାଏ କିଙ୍ଗ ପକ୍ଷରୁ ଭୁବନେଶ୍ବର ଖାରବେଳନଗର ଥାନାରେ ଆକାଶଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ସେହିଭଳି କମିଶନରେଟ୍‌ ପୋଲିସ ପକ୍ଷରୁ ଟାଟା କମ୍ପାନୀକୁ ମଗାଯାଇଥିବା ସ୍ପଷ୍ଟୀକରଣରେ ଆକାଶ କମ୍ପାନୀର କର୍ମଚାରୀ ନୁହନ୍ତି ବୋଲି ସ୍ପଷ୍ଟ କରିଛି କମ୍ପାନୀ ।

{"id":374662,"sizeSlug":"large"}

ଆକାଶଙ୍କୁ ପ୍ରଥମେ ଭିଜିଲାନ୍ସ ସେଲ୍‌ ୩ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା । ତେବେ ଭିଜିଲାନ୍ସ ଏସଆଇଟି ଆଗରେ ସବୁ ସତ ମାନିଯାଇଥିଲେ ଆକାଶ ପାଠକ । ସେ ଟାଟାରେ ଚାକିରି କରୁନଥିବା ସ୍ବିକାର କରିଥିଲେ । ଏବେ ଆକାଶଙ୍କ ବ୍ୟକ୍ତିଗତ ସଚିବ ଡେଭିଡ୍‌ ପିଟରଙ୍କୁ ପଚରାଉଚରା ଚଳାଇଛି କ୍ରାଇମବ୍ରାଞ୍ଚ । ସେ ମଧ୍ୟ ଆକାଶଙ୍କ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓଗାଳିଛନ୍ତି । ଏହା ପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ ଅଭୟ୍ରକାନ୍ତ ପାଠକ, ପୁଅ ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଏକାଠି ବସାଇ ଜେରା କରିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ । ଯାହା ଏମାନଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଅନୁମାନ କରୁଛନ୍ତି ବରିଷ୍ଠ ଆଇନଜୀବୀ ।

ଶହ ଶହ ବେକାର ଯୁବକ ଯୁବତୀଙ୍କୁ ଫେକ୍‌ ନିଯୁକ୍ତି ପତ୍ର ବାଣ୍ଟି କୋଟି କୋଟି ଟଙ୍କା ଆତ୍ମସାତ କରିବା ଓ ସେଇ ଟଙ୍କାରେ ନିଜ ପରିବାର ସହ ଅୟସ ଆରାମ କରିବା ଭଳି ସାଂଘାତିକ ଅଭିଯୋଗର ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛନ୍ତି ତଦନ୍ତକାରୀ ଟିମ୍‌ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.