ଲଦାଖ ବିବାଦ, ଆଜି ଚତୁର୍ଥ ପର୍ଯ୍ୟାୟ ବୈଠକ : ସୀମାରୁ ସୈନ୍ୟ ପ୍ରତ୍ୟାହାର ନେଇ ହୋଇପାରେ ନିଷ୍ପତ୍ତି

Published By : Prameya-News7 Bureau | July 14, 2020 IST

ନୂଆଦିଲ୍ଲୀ ୧୪।୦୭: ଲଦାଖ ବିବାଦ, ଆଜି ଚତୁର୍ଥ ପର୍ଯ୍ୟାୟ ବୈଠକ । ଲଦାଖ ବିବାଦର ସମାଧାନ ପାଇଁ ଚତୁର୍ଥ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ବୈଠକ ଆଜି ହେବ । ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ପରେ ଏହା ପ୍ରଥମ ବୈଠକ ହେବାକୁ ଯାଉଛି। ଏହି ବୈଠକ ଭାରତୀୟ ସେନା ପକ୍ଷରୁ ଚୁସୁଲଠାରେ ଆୟୋଜନ କରାଯାଇଛି। ପ୍ରସ୍ତାବିତ ବୈଠକରେ ପାନଗଙ୍ଗ ହ୍ରଦ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଭାରତ ଗୁରୁତ୍ବାରୋପ କରିବ। ଏତଦ୍ ବ୍ୟତୀତ ଏଲଏସିର କେଉଁ ସ୍ଥାନରେ ଉଭୟ ଦେଶର ସୈନ୍ୟ ଅବସ୍ଥାନ କରିବେ ତା’ଉପରେ ମଧ୍ୟ ଆଲୋଚନା ହେବ।

ଚୀନ ସେନା ଅନ୍ୟ ଦୁଇଟି ବିବାଦୀୟ ଅଞ୍ଚଳରୁ ଫେରିଯାଇଥିଲେ ମଧ୍ୟରେ ଏଠାରେ ରହିଛନ୍ତି। ତେବେ ପାନଗଙ୍ଗର ଫିଙ୍ଗର-୪ ଅଞ୍ଚଳରୁ ଚୀନ ସେନା ସାମାନ୍ୟ ଘୁଞ୍ଚିଥିବା ସୂଚନା ମିଳିଛି। ଉଭୟ ପକ୍ଷର ସୈନ୍ୟ ପଛକୁ ହଟିବା ପରେ ‘ବଫର ଜୋନ୍ ’ର ଦୁଇ ପାଖରେ ରହିଛନ୍ତି। ସାମୟିକ ଭାବେ ବିବାଦ ଟାଳିବାକୁ ତୃତୀୟ ପର୍ଯ୍ୟାୟ ଆଲୋଚନାର ନିଷ୍ପତ୍ତି ଅନୁଯାୟୀ ଗଲୱାନ ଉପତ୍ୟକା, ଗୋଗ୍ରା ଓ ହଟ୍  ସ୍ପ୍ରିଙ୍ଗ ସେକ୍ଟରରେ ତିନି କିଲୋମିଟର ବିଶିଷ୍ଟ ବଫର ଜୋନ୍ ପ୍ରସ୍ତୁତ ହୋଇଛି।

ସୈନ୍ୟ ପ୍ରତ୍ୟାହାର ସମ୍ପର୍କିତ ପ୍ରମାଣ ଉପଗ୍ରହରୁ ଉପଲବ୍ଧ ହୋଇଛି । ସେନାମୁଖ୍ୟ ଜେନେରାଲ ଏମଏମ୍ ନରବଣେ ଗତକାଲି ଜମ୍ମୁ-ପଠାନକୋଟ ଅଞ୍ଚଳର ଆଗୁଆ ଘାଟି ଅଞ୍ଚଳକୁ ପରିଦର୍ଶନ କରିବା ସହିତ ସେନା ଅଭିଯାନର ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି। ରାଇଜିଂ ଷ୍ଟାର କ୍ରସପର ଏହି ଅଞ୍ଚଳରେ ସୁରକ୍ଷା ସ୍ଥିତି ବାବଦରେ ସେନାମୁଖ୍ୟଙ୍କୁ ଜେନେରାଲ ଅଫିସର କମାଣ୍ଡିଂ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଅବଗତ କରାଇଥିଲେ। ସେନାମୁଖ୍ୟଙ୍କ ଏହି ଗସ୍ତରେ ଲେପ୍ଟନାଣ୍ଟ ଜେନେରାଲ ଆରପି ସିଂହ, ମେଜର ଜେନେରାଲ ଭିବି ନାୟାର ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.