ଆସିଲା ଅନ୍‌ଲକ୍-୩ର‌ ଗାଇଡ୍‌ ଲାଇନ୍, ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ହଟିଲା ନାଇଟ୍‌ କର୍ଫ୍ୟୁ

Published By : Prameya-News7 Bureau | July 29, 2020 IST

ନୂଆଦିଲ୍ଲୀ୨୯/୭: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସବୁ ପ୍ରୟାସ ପରେ ସଂକ୍ରମଣ ଥମିବାର ନା ନେଉନି। ତେଣୁ ୪ ପର୍ଯ୍ୟାୟ ଲକ୍‌ଡାଉନ୍ ଶେଷ ପରେ ଦେଶ ସଂମ୍ପ୍ରତି ଅନଲକ୍‌ ପର୍ଯ୍ୟାୟ ଦେଇ ଗତି କରୁଛି। ଜୁଲାଇ ୩୧ ତାରିଖରେ ଅନଲକ୍‌-୨ ସରୁଥିବା ବେଳେ ଏହି ପରିପ୍ରେକ୍ଷୀ​‌ରେ କେନ୍ଦ୍ର୍ ସରକାର ବୁଧବାର ଅନଲକ-୩ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଏହାର ଅବଧି ଅଗଷ୍ଟ ୩୧  ପର୍ଯ୍ୟନ୍ତ ଜାରି ରହିବ। କଣ୍ଟେନମେଣ୍ଟ୍ ଜୋନ୍‌ରେ ପୂର୍ବବତ୍ କଟକଣା ଜାରି ରହିବ। ଅନଲକ୍‌-୩ରେ ରାତ୍ରକାଳୀନ କର୍ଫ୍ୟୁ ଅଗଷ୍ଟ ୧ରୁ ହଟାଇ ଦିଆଯିବ।

ଗୃହ ମନ୍ତ୍ରଣାଳୟ ଦ୍ଵାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ସିନେମା ଏବଂ ମେଟ୍ରୋ ବନ୍ଦ ରହିବ। ଅନଲକ୍-୩ରେ ନାଇଟ୍‌ କର୍ଫୁ ହଟାଇଛନ୍ତି କେନ୍ଦ୍ର ସରକାର। ଅନ୍ୟପଟେ ଯୋଗ ଇନଷ୍ଟ୍ୟୁଟ୍ ଓ ଜିମ୍ ଅଗଷ୍ଟ ୫ ତାରିଖରୁ ଖୋଲିବ। ପୂର୍ବବତ୍ତ ସ୍କୁଲ- କଲେଜ ସମେତ କୋଚିଂ ସେଣ୍ଟର  ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ। ଅନ୍ତର୍ଜାତୀୟ ବିମାନ ବନ୍ଦର ସୀମିତ ଭାବେ ଚଳ ପ୍ରଚଳନ ରହିବ। ବାର, ଆସେମ୍ବ୍ଲି ହଲ, ସୁଇମିଂ ପୁଲ, ସ୍ପୋର୍ଟସ୍ ସେକ୍ଟର, ଅଡିଟରିୟମ, ଥିଏଟର୍ସ ଆଦି ବନ୍ଦ ରହିବ। କଣ୍ଟେନମେଣ୍ଟ ଜୋନ୍‌ରେ ପୂର୍ବଭଳି କଟକଣା ଜାରି ରହିବ।

wp:html /wp:html

ସରକାର କହିଛନ୍ତି ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମ ସାମାଜିକ ଦୂରତା ନିୟମ ସହିତ ପାଳନ କରାଯିବ। ଏହା ବ୍ୟତୀତ ଅନ୍ୟ ସ୍ଵାସ୍ଥ୍ୟ ସମ୍ବନ୍ଧିତ ଗାଇଡ୍‌ଲାଇନ୍‌ ପାଳନ କରାଯିବ। ମାସ୍କ ପିନ୍ଧିବା ସଭିଙ୍କ ପାଇଁ ଜରୁରୀ ରହିବ। କେନ୍ଦ୍ର ମନ୍ତ୍ରଣାଳୟ ଅନୁଯାୟୀ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ବିସ୍ତୃତ ଆଲୋଚନା ପରେ ଏହି ନିର୍ଣ୍ଣୟ ନିଆଯାଇଛି ଯେ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ।

ବନ୍ଦେ ଭାରତ ମିଶନ ଆଧାରରେ ସୀମିତ ସଂଖ୍ୟାରେ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳକୁ ଅନୁମତି ଦିଆଯାଇଛି। ଅନ୍ତରାଷ୍ଟ୍ରୀୟ ଉଡାଣକୁ ନେଇ ସରକାର ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ। କଣ୍ଟେନମେଣ୍ଟ ଜୋନ୍‌ରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଜାରି ରହିବ। ଗୃହ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍‌ର ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେବେ।

ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ସଂକ୍ରମଣର ପ୍ରତିରୋଧ ଲାଗି ମାର୍ଚ୍ଚ ଅନ୍ତିମ ସପ୍ତାହରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହୋଇଥିଲା। ଏହ ପରେ ପର୍ଯ୍ୟାୟ କ୍ରମେ ଚାରି ଥର ଲକ୍‌ଡାଉନ୍ ଅବଧି ବଢାଯାଇଥିଲା। ଏହା ପରେ କେନ୍ଦ୍ର ସରକାର ଦେଶକୁ ଲକ୍‌ଡାଉନ୍‌ରୁ ବାହାର କରିବା ପାଇଁ ଅନଲକ୍‌ ଲାଗୁ କରିଛନ୍ତି। ଅନଲକ୍‌ରେ ଦେଶରେ ଅନେକ ପ୍ରକାରର ଗତିବିଧିକୁ ଅନୁମତି ମିଳିଛି। କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ଜାରି ରହିଛି।

ଅନ୍ୟପଟେ ଦେଶରେ କରୋନା ସଂକ୍ରମିତ ୧୫ ଲକ୍ଷ ଟପିଛି। ଦେଶରେ କରୋନା ଭାଇରସର ସଂକ୍ରମଣ ଗତ ୨୪ ଘଣ୍ଟାରେ ୭୬୮ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ମହାମାରୀରେ ମୃତକଙ୍କ ସଂଖ୍ୟା ୩୪୧୯୩ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଅଦ୍ୟାବଧି ଆକ୍ଟିଭ୍ କେସ୍ ସଂଖ୍ୟା ୫,୦୯, ୪୪୭ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.