ଜୁନ ୧୭ରେ ଖୋଲିବ ୟୁନିଭର୍ସିଟି ଏବଂ କଲେଜ, କିନ୍ତୁ ହେବନାହିଁ ପାଠପଢା

Published By : Prameya-News7 Bureau | June 12, 2020 IST

ଭୁବନେଶ୍ୱର, ୧୨|୦୬:  ଜୁନ ୧୭ରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଖୋଲିବ । ତେବେ ଶିକ୍ଷାନୁଷ୍ଠାନଗୁଡିକରେ କରୋନା ଗାଇଡଲାଇନ୍ ପାଳନ କରିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ ।

ଗୁରୁବାର ଉଚ୍ଚଶିକ୍ଷା ବିଭାଗ ତରଫରୁ ସମସ୍ତ ଅଣ୍ଡର ଗ୍ରାଜୁଏନ ଓ ପୋଷ୍ଟ ଗ୍ରାଜୁଏଟର ଶେଷ ସେମିଷ୍ଟାର ପରୀକ୍ଷାକୁ ବାତିଲ କରାଯାଇଥିବା ନିଷ୍ପତ୍ତି ହୋଇଥିଲା । ମେଡିକାଲ ପାଠ୍ୟକ୍ରମ ବ୍ୟତୀତ ସମସ୍ତ ପାଠ୍ୟକ୍ରମର ପରୀକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା ।  ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ମାହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଜୁନ ୧୭ରୁ ଖୋଲିବ ବୋଲି କୁହାଯାଇଛି । ତେବେ କରୋନା ସଂକ୍ରମଣ ପାଇଁ ଜାରି ଗାଇଡଲାଇନ୍‌କୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ଶିକ୍ଷାନୁଷ୍ଠାନ ଖୋଲିଲେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଆସିବାକୁ ବାରଣ କରାଯାଇଛି । କେବଳ ଅଧ୍ୟାପକ ଓ କର୍ମଚାରୀମାନେ ଶିକ୍ଷାନୁଷ୍ଠାନକୁ ଆସିପାରିବେ ।

ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ପ୍ରକାର ସ୍ନାତକ ଓ ସ୍ନାତକତ୍ତୋର ବା ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ୍ ଗ୍ରାଜୁଏଟ୍ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଲାଗି ଗୁରୁବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ । ବୈଠକରେ ପରୀକ୍ଷା ବାତିଲ ହେବା ନେଇ କୁହାଯାଇଥିଲା । କାରଣ କରୋନା ମହାମାରୀ ପାଇଁ ଯୁକ୍ତ ୩ ଓ ପିଜି ପାଠ୍ୟକ୍ରମର ଶେଷ ବର୍ଷ ଓ ଶେଷ ସେମିଷ୍ଟାର ପରୀକ୍ଷା ସୁରୁଖୁରୁରେ ହେବାର ସମ୍ଭାବନା କମ୍ ରହିଛି । ଏହିସବୁ ପରୀକ୍ଷା ଜୁଲାଇ-ଅଗଷ୍ଟ ମାସରେ ଅନୁଷ୍ଠିତ ହେବା ନେଇ ଧାର୍ଯ୍ୟ ହୋଇଥିଲା ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ରୋକିବା ପାଇଁ ସାରା ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କେନ୍ଦ୍ର ସରକାର ଅଗଷ୍ଟ ୧୫ ପରେ ମହାବିଦ୍ୟାଳୟ ଖୋଳିବା ନେଇ ନିକଟରେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.