କଲେଜରେ ଅଧ୍ୟକ୍ଷ ଓ ଆକାଉଣ୍ଟାଣ୍ଟଙ୍କ ଦବଙ୍ଗଗିରି : ସିଏଲସି ପାଇଁ ଦାବି କରିଥିବା ଟଙ୍କା ନଦେବାରୁ ଛାତ୍ରଙ୍କୁ ମାରିଲେ ମାଡ, ଭିଡିଓ ଭାଇରାଲ୍ !
19/10/2019 at 9:54 AM

ଉଦଳା ୧୯।୧୦: କଲେଜରେ ଦବଙ୍ଗଗିରି ଦେଖାଇଛନ୍ତି କଲେଜର ଅଧ୍ୟକ୍ଷ ଏବଂ ଆକାଉଣ୍ଟାଣ୍ଟ । ଜଣେ ଛାତ୍ରଙ୍କୁ ଅଧ୍ୟକ୍ଷଙ୍କ ଚ୍ୟାମ୍ବର ଭିତରେ କବାଟ ବନ୍ଦ କରି ଅତି ନିର୍ଦ୍ଦୟ ଭାବେ ମାଡ ମାରିବା ସହିତ ତାଙ୍କ ବେକକୁ ଚାପିଦେବାର ଭିଜୁଆଲ ଭାଇରାଲ ହୋଇଛି ।

ଭାଇରାଲ୍ ହୋଇଥିବା ଭିଜୁଆଲରେ କିଭଳି ଭାବେ ଛାତ୍ରଙ୍କୁ ମାଡ ମରାଯାଉଛି ତାହା ଦେଖିବାକୁ ମିଳିଛି । କିପରି ଅତି ନିର୍ଦ୍ଦୟ ଭାବେ କଲେଜର ଅଧ୍ୟକ୍ଷ ଏବଂ ଆକାଉଣ୍ଟାଣ୍ଟ କଲେଜରେ ନିଜର ଦବଙ୍ଗଗିରି ଚଳାଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ ଅନ୍ତର୍ଗତ ପୁରୁଣା ବାରିପଦା ଆଂଚଳିକ ଡିଗ୍ରୀ ମହାବିଦ୍ୟାଳୟରେ । କଲେଜର ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ଦେବାଶିଷ ମହାନ୍ତ ନିଜର ସିଏଲସି ନେବାକୁ କଲେଜକୁ ଆସିଥିଲେ । ପୂର୍ବରୁ ସିଏଲସି ବାବଦକୁ ତାଙ୍କୁ ୫ ହଜାର ଟଙ୍କା ମଗା ଯାଇଥିବା ବେଳେ ସେ ଗତକାଲି ସିଏଲସି ନେବାକୁ ଆସିଥିବା ବେଳେ ତାଙ୍କୁ ସାଢେ ୭ ହଜାର ଟଙ୍କା ମଗାଯାଇଥିଲା । ଛାତ୍ର ଜଣଙ୍କ ଏହାକୁ ବିରୋଧ କରିଥିବା ବେଳେ ସେ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବା ସହିତ ତାଙ୍କୁ ସିଏଲସି ପ୍ରଦାନ କରିବାକୁ କହିଥିଲେ ।

ଛାତ୍ରଙ୍କ ଏଭଳି କଥାରୁ ରାଗି ଯାଇଥିଲେ କଲେଜର ଅଧ୍ୟକ୍ଷ ମନୋଜ ସାହୁ । ଅଧ୍ୟକ୍ଷଙ୍କ ଚ୍ୟାମ୍ବର ଭିତରେ ସିଏଲସିକୁ ନେଇ ଏହି ଆଲୋଚନା ଚାଲିଥିବା ବେଳେ ସେଠାରେ କଲେଜର ଆକାଉଣ୍ଟାଣ୍ଟ ଶଶୀଭୂଷଣ ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଛାତ୍ର ଦେବାଶିଷ ଅଧିକ ଟଙ୍କା ଦେବାକୁ ମନା କରିବା ସହିତ ବିରୋଧ କରିବାରୁ ପ୍ରଥମେ ତାଙ୍କୁ ଆକାଉଣ୍ଟାଣ୍ଟ ଠେଲାପେଲା କରିଥିଲେ । ଛାତ୍ର ଜଣଙ୍କ ତାହା ବିରୋଧ କରିବା ପରେ ପୁନଶ୍ଚ ଆକାଉଣ୍ଟାଣ୍ଟ ତାଙ୍କ ହାତ ଧରି ମୋଡି ଦେବା ସହିତ ତାଙ୍କୁ ଜୋରରେ ଠେଲାପେଲା କରିଥିଲେ ।

ଛାତ୍ର ଜଣଙ୍କ ସେଥିରୁ ବର୍ତ୍ତିବା ପାଇଁ ଆକାଉଣ୍ଟାଣ୍ଟକୁ ଠେଲିଦେଇଥିଲେ । ଫଳରେ ଅଧ୍ୟକ୍ଷଙ୍କ ସମ୍ମୁଖରେ କଲେଜର ଆକାଉଣ୍ଟାଣ୍ଟ ଏବଂ ଅନ୍ୟ ଜଣେ କର୍ମଚାରୀ ଛାତ୍ର ଜଣଙ୍କୁ ଚ୍ୟାମ୍ବରରେ ଥିବା ଏକ ସୋଫା ଉପରେ ମାଡି ବସିବା ସହିତ ତାଙ୍କ ତଣ୍ଟି ଚିପି ଧରିଥିଲେ । ପରେ ଅଧ୍ୟକ୍ଷ ଅନ୍ୟ ଜଣେ କର୍ମଚାରୀକୁ ବାହାରକୁ ପଠାଇ ଦେଇ ଚ୍ୟାମ୍ବରର କବାଟ ବନ୍ଦ କରି ନିଜେ ଛାତ୍ରର ହାତକୁ ଟାଣି ଧରିବା ସହିତ ସେ ଘରକୁ ଫୋନ୍ କରୁଥିବା ବେଳେ ତାର ମୋବାଇଲକୁ ଆଣି ଭାଙ୍ଗି ଦେଇଥିଲେ । ଏହାସହିତ ମାଡ ମଧ୍ୟ ମାରିଥିବାର ଅଭିଯୋଗ ଛାତ୍ର କରିଛନ୍ତି । ଅନ୍ୟପଟେ ଏ ବାବଦରେ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ ସେପରି କିଛି କରି ନଥିବା କହିଛନ୍ତି।